
ନୂଆଦିଲ୍ଲୀ: କଲମ୍ବିଆ ମିଲିଟାରୀ ପ୍ଲେନ କ୍ରାସ । ୬୬ ମୃତ । ଦକ୍ଷିଣ କଲମ୍ବିଆ ସୀମା ପେରୁ ନିକଟରେ ବିମାନ କ୍ରାସ । ୧୨୫ ଜଣଙ୍କୁ ନେଇ କଲମ୍ବିଆର ପୁଏର୍ଟୋ ଲେଗୁଇଜାମୋ ବିମାନ ବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଘଟିଛି ଦୁର୍ଘଟଣା । ବିମାନ ବନ୍ଦରଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ ଖସିପଡ଼ିଥିଲା ମିଲିଟାରୀ ପ୍ଲେନ । ସାମରିକ ବିମାନ ଦୁର୍ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏବେବି କିଛି ଜଣ ନିଖୋଜ ଅଛନ୍ତି ।
ଏହି ସାମରିକ ହର୍କୁଲସ ବିମାନ ସୈନ୍ୟମାନଙ୍କୁ ପରିବହନ କରୁଥିଲା । ଯେଉଁଥିରେ ୧୧୪ ଜଣ ସୈନ୍ୟ ଏବଂ ୧୧ ଜଣ କ୍ରୁ ସଦସ୍ୟ ସାମିଲ ଥିଲେ। ଏବେ ମଧ୍ୟ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦେଶର ରାଜଧାନୀ ବୋଗୋଟାକୁ ସ୍ଥାନାନ୍ତର କରାଯାଉଛି । ଦୁର୍ଘଟଣା ପରେ ବିମାନଟି ହୁତ ହୁତ ହୋଇ ଜଳିଯାଇଥିଲା । ସେଥିରେ ଥିବା ବିସ୍ଫୋରକ ସାମଗ୍ରୀ ଫୁଟିବାରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। କଲମ୍ବିଆ ବାୟୁସେନା ଏବଂ ସେନା ପକ୍ଷରୁ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।