
ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ । ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଶକ୍ତିଶାଳୀ ବିମାନ ଆକ୍ରମଣରେ ଇରାନର ପ୍ରତିରକ୍ଷା କ୍ଷେତ୍ରର ଜଣେ ପ୍ରମୁଖ ବୈଜ୍ଞାନିକ ଡକ୍ଟର ସଇଦ୍ ସାମଘାଦାରୀ ଓ ତାଙ୍କର ଦୁଇ ସନ୍ତାନ ପ୍ରାଣ ହରାଇଛନ୍ତି । ଡକ୍ଟର ସଇଦ୍ ଇରାନର ପ୍ରତିରକ୍ଷା ଶିଳ୍ପରେ ଜଣେ ‘ଅଗ୍ରଦୂତ’ ଭାବେ ଜଣାଶୁଣା ଥିଲେ। ସେ ଇରାନ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ଥିଲେ । ମିସାଇଲ୍ ର ଗତିପଥ ନିୟନ୍ତ୍ରଣ ଓ ଲକ୍ଷ୍ୟଭେଦୀ କ୍ଷମତା ବଢ଼ାଇବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରସ୍ତୁତ କରିବା ତାଙ୍କର ମୁଖ୍ୟ କାମ ଥିଲା । ଉତ୍ତର ତେହେରାନର ଚିଜାର୍ ଅଞ୍ଚଳରେ ଥିବା ତାଙ୍କ ଘରକୁ ଇସ୍ରାଏଲ୍ ସିଧାସଳଖ ଟାର୍ଗେଟ୍ କରିଥିଲା ।
ଏହି ଆକ୍ରମଣରେ ତାଙ୍କ ପୁଅ ମହମ୍ମଦ ଏବଂ ଝିଅ ରେହାନେ ମଧ୍ୟ ମୃତ୍ୟୁ ହୋଇଛି । ଇସ୍ରାଏଲ୍ ବହୁଦିନରୁ ଇରାନର ପରମାଣୁ ଓ ମିସାଇଲ୍ କାର୍ଯ୍ୟକ୍ରମ ସହ ଜଡ଼ିତ ମୁଖ୍ୟ ବ୍ୟକ୍ତିମାନଙ୍କୁ ନିପାତ କରିବା ପାଇଁ ଅଭିଯାନ ଚଳାଇଛି । ଏହି ଆକ୍ରମଣ ସେହି ଯୋଜନାର ଏକ ଅଂଶ ବୋଲି କୁହାଯାଉଛି । ଇରାନ ସରକାର ଏହି ଘଟଣାକୁ “କାପୁରୁଷୋଚିତ ଆତଙ୍କବାଦୀ କାର୍ଯ୍ୟ” ବୋଲି କହିଛନ୍ତି । ସାଧାରଣ ଲୋକ ରହୁଥିବା ସ୍ଥାନରେ ଆକ୍ରମଣ କରି ଶିଶୁମାନଙ୍କୁ ମାରିଥିବାରୁ ଇରାନରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଗତ କିଛି ଦିନ ହେବ ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଚାଲିଛି । ଇସ୍ରାଏଲ୍ କ୍ରମାଗତ ଭାବେ ଇରାନର ଏୟାରପୋର୍ଟ, ମିସାଇଲ୍ ଫ୍ୟାକ୍ଟ୍ରି ଏବଂ ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି ।