
ଭୁବନେଶ୍ୱର : ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହେଉଛି । ଏହି ସୁଯୋଗକୁ ନେଇ କଳାବଜାରୀମାନେ ଗ୍ୟାସ ସିଲିଣ୍ଡରକୁ ଅତ୍ୟଧିକ ଦରରେ ବିକ୍ରି କରୁଛନ୍ତି । ଯାହାର ସିଧାସଳଖ ପ୍ରଭାବ ଛୋଟ ହୋଟେଲ ଓ ଉଠା ଜଳଖିଆ ଦୋକାନ ଉପରେ ପଡୁଛି । ସାଧାରଣ ଲୋକଙ୍କ ପାଇଁ ଯେଉଁ ସିଲିଣ୍ଡର ସହଜରେ ମିଳିବା ଉଚିତ ।
ସେଥିରେ ଏବେ ପ୍ରାୟ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢିଯାଇଛି । ସେପଟେ ଗ୍ୟାସ୍ ଦର ବୃଦ୍ଧି ନେଇ ବଢୁଛି ଖାଦ୍ୟର ଦର । କିଛି ଦୋକାନ ବନ୍ଦ କରିବାକୁ ବସିଲେଣି ତ, ଆଉ କିଛି ରୋଜଗାର ପାଇଁ ବାଧ୍ୟ ହୋଇ କାଠ ଓ କୋଇଲା ଜାଣେଳିକୁ ଆପଣାଇଛନ୍ତି । ଏଥିସହ ଖାଦ୍ୟ ମେନୁରେ ଥିବା ରେଟ ଚାର୍ଟ ପରିବର୍ତନ କରାଯାଇ ଦରଦାମ ବୃଦ୍ଧି କରି ଦିଆଯାଇଛି ।
ସେପଟେ କଟକରେ ବେଆଇନ ଗ୍ୟାସ ରିଫିଲିଙ୍ଗ ଏବଂ ଅପମିଶ୍ରଣ ଅଭିଯୋଗରେ ଡେଲିଭରୀ କର୍ମଚାରୀ ଗିରଫ ହୋଇଛି । ଅକସ୍ମାତ୍ ଚଢ଼ାଉ କରି ଧରିଲା ବିଡ଼ାନାସି ଥାନା ପୋଲିସ । ୧୦ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଏକ୍ସପ୍ଲୋସିଭସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କଲା କମିଶନରେଟ୍ ପୋଲିସ । ବେଆଇନ ଭାବେ ଅସୁରକ୍ଷିତ ଶୈଳୀରେ ସିଲିଣ୍ଡର ଭର୍ତ୍ତି କରୁଥିଲେ ଅଭିଯୁକ୍ତ । ଅଲିଶାବଜାର ଅଞ୍ଚଳର ଧ୍ରୁବ ଚରଣ ବେହେରାଙ୍କୁ ଗିରଫ କଲା ପୋଲିସ ।