ଭୀମାଗୁଡ଼ା ସରକାରୀ ବାଳିକା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମ୍ପନ୍ନ : ଛାତ୍ରୀଙ୍କ କଳା ଓ ସଂସ୍କୃତିର ପ୍ରଦର୍ଶନ

add-all

ଉମରକୋଟ (ରିପୋର୍ଟ: ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଧୋତ୍ରା ନିକଟସ୍ଥ ଭୀମାଗୁଡ଼ା ସରକାରୀ ବାଳିକା ଏସ୍‌ଏସ୍‌ଡି (SSD) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଶିକ୍ଷା, ସଂସ୍କୃତି ଓ ପ୍ରତିଭାର ଏହି ମହାମିଳନରେ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଝରିଗାଁ ବିଧାୟକ ଶ୍ରୀ ନରସିଙ୍ଗ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ପାଢ଼ୀ ଏବଂ ମୁଖ୍ୟବକ୍ତା ଭାବେ ମଙ୍ଗଳ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲକା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଶ୍ରୀ ମଧୁସୂଦନ ମାଝୀ, ତହସିଲଦାର ଶ୍ରୀ ସୁମୁନ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଶଙ୍କର ଭତ୍ରା ପ୍ରମୁଖ ଯୋଗଦେଇଥିଲେ। ଅଭିଭାବକଙ୍କ ପକ୍ଷରୁ ମହେଶ୍ଵର ଭତ୍ରା ଓ ଅଭିଭାବିକାଙ୍କ ପକ୍ଷରୁ ଭାନୁମତି ମାଝୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟ୍ୟ ଓ ବିଭିନ୍ନ କଳାତ୍ମକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଭତ୍ରା ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଛାତ୍ରୀଙ୍କ ଶୃଙ୍ଖଳା ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିବା ସହ ସରକାରୀ ଯୋଜନାଗୁଡ଼ିକ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ, ସେ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଗୋଲାପ ସ୍ୱାଇଁ, ଟୁଙ୍ଗିର ଶତପଥୀ, ଭାବନା ଚିନାପା, ଦୀପକ ରଞ୍ଧନ ସାହୁ, ସୁରେଶ କୁମାର ନାୟକ, କ୍ଷୀରୋଦ କୁମାର ନାୟକ, ଅଞ୍ଜନା ରାଣୀ ଭୌମିକ, ସୁଜାତା ମଣ୍ଡଳ, ମାମାଲି, ଜଗଦୀଶ ପ୍ରଧାନୀ, ଡୁନ ସୁନ୍ଦର ମଣିଙ୍କ ସମେତ ୧୧ ଜଣ ମହିଳା ସହାୟିକା ଓ ପାଚିକାମାନେ ସହଯୋଗ କରିଥିଲେ।

ଏହି ବାର୍ଷିକ ଉତ୍ସବ ଅଞ୍ଚଳରେ ଶିକ୍ଷାର ପ୍ରସାର ଓ ସରକାରୀ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସାଧାରଣରେ ଆସ୍ଥା ବୃଦ୍ଧି କରିଥିବା ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.