କଳାବଜାରୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍: ଗଞ୍ଜାମ ଓ ଅନୁଗୁଳରୁ ୮୯ ସିଲିଣ୍ଡର ଜବତ

add-all

ଭୁବନେଶ୍ବର: ରାଜ୍ୟରେ ଗ୍ୟାସ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଯୋଗାଣ ବିଭାଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଯୋଗାଣ ବିଭାଗ ଆକ୍ସନ ମୋଡକୁ ଆସିଛି । ଆଜି ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରୁ ମୋଟ ୮୯ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁଗୁଳ ଗସ୍ତ ସମୟରେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ କରିଥିଲେ।

ବିନା ଅନୁମତିରେ ଦୋକାନମାନଙ୍କରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଚଢ଼ା ଦରରେ ବିକ୍ରି କରାଯାଉଥିବା ଖବର ପାଇ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଠାରୁ ପ୍ରାୟ ୧୮ଟି ସିଲିଣ୍ଡର ଜବତ କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ତୁରୁବୁଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୪୧ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏଥିରୁ ୩୦ଟି ଗ୍ୟାସ ଭର୍ତ୍ତି ଥିବା ବେଳେ ୧୧ଟି ଖାଲି ଥିଲା । ଚଢ଼ାଉ ସମୟରେ କଳାବଜାରୀ କରୁଥିବା ବ୍ୟକ୍ତି ଜଣେ ଖସି ପଳାଇ ଯାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଗାଁର ଅନ୍ୟ ଲୋକଙ୍କ ଗ୍ୟାସ କାର୍ଡ୍ ବ୍ୟବହାର କରି ଗ୍ୟାସ ଡିପୋରୁ ଉଠାଇ ଏହି ସିଲିଣ୍ଡରଗୁଡ଼ିକୁ ଅଧିକ ଦରରେ ବିକ୍ରି କରୁଥିଲେ । ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗ୍ୟାସ କଳାବଜାରୀ ଉପରେ କଡ଼ା ନଜର ରହିଛି ଏବଂ ଏହି ଅଭିଯାନ ନିୟମିତ ଭାବେ ଜାରି ରହିବ । ଅଧିକ ଦାମରେ ବିକ୍ରି କରୁଥିବା ବ୍ୟକ୍ତି ଓ ଏଜେନ୍ସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର କହିଛନ୍ତି, ଜିଲ୍ଲା ସ୍ତରରେ ଯାଞ୍ଚ ଜୋରଦାର କରାଯାଇଛି । ଗ୍ୟାସ ଏଜେନ୍ସୀମାନଙ୍କ ଉପରେ ନିୟମିତ ଯାଞ୍ଚ ହେବ । ସାଧାରଣ ଲୋକଙ୍କୁ ସଠିକ୍ ଦରରେ LPG ଯୋଗାଣ ସୁନିଶ୍ଚିତ କରିବା ସରକାରଙ୍କ ପ୍ରଥମ ପ୍ରାଥମିକତା । କୌଣସି ଅନିୟମିତତା ଦେଖାଗଲେ ତୁରନ୍ତ ସୂଚନା ଦିଅନ୍ତୁ ।

Leave A Reply

Your email address will not be published.