କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ- ମିଳିତ ବିରୋଧୀ ଦଳ

add-all

ଭୁବନେଶ୍ୱର: ପାଲାସା-ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥକୁ ସ୍ଥାନାନ୍ତରଣ ପ୍ରତିବାଦରେ ରାଜ୍ୟର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ, ଅନ୍ୟାୟ ଓ ଅଗ୍ରହଣୀୟ ବୋଲି କଟୁ ଭାବେ ନିନ୍ଦା କରାଯାଇଛି। ଡବଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ ଅଭି‌ଯୋଗ କରାଯାଇଛି। ୨୦୧୯ ମସିହାରେ କେନ୍ଦ୍ର ସରକାର ଦକ୍ଷିଣ ଉପକୂଳ ରେଳପଥ ଜୋନ୍ ଗଠନ ଘୋଷଣା କରିଥିଲେ। ଗତ ୨ତାରିଖରେ ରେଳ ବୋର୍ଡ ପାଲାସା–ଇଚ୍ଛାପୁରମ୍ (ପ୍ରାୟ ୫୦ କି.ମି.) ରେଳ ବିଭାଗକୁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନରୁ ଦକ୍ଷିଣ ଉପକୂଳ ରେଳପଥର ବିଶାଖାପାଟଣା ଡିଭିଜନକୁ ସ୍ଥାନାନ୍ତର କରିବା ପାଇଁ ନୋଟିସ ଜାରି କରିଛନ୍ତି । ଏହି ସ୍ଥାନାନ୍ତରଣ ଫଳରେ ପୂର୍ବତଟ ରେଳପଥର ଆକାର କମିବା ସହ ରାଜସ୍ୱ ହ୍ରାସ ହେବ। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ଦେଶର ସର୍ବାଧିକ ରାଜସ୍ୱ ଉପାର୍ଜନକାରୀ ଜୋନ୍‌ମାନଙ୍କ ମଧ୍ୟରୁ ଅନ୍ୟତମ ଜୋନ୍ ଭାବେ ରେକର୍ଡ ରହିଛି। ଗତ ୨୫ବର୍ଷ ଭିତରେ ଓଡିଶା ରେଳବାଇ କୁ ୩ଲକ୍ଷ କୋଟି ଲାଭ ଦେଇଥିବା ବେଳେ ଓଡ଼ିଶାର ରେଳ ଭିତ୍ତଭୂମିର ବିକାଶ ଏବଂ ରେଳ ବିଭାଗରେ ଓଡ଼ିଆ ଯୁବକଯୁବତୀଙ୍କ ନିଯୁକ୍ତି ଇତ୍ୟାଦି ସବୁ କ୍ଷେତ୍ରରେ କେନ୍ଦ୍ର ସରକାର ଚରମ ଅବହେଳା କରୁଛନ୍ତି ବୋଲି ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ ଆକ୍ଷେପ କରାଯାଇଛି।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଭାରତୀୟ ରେଳବାଇକୁ ରାଜ୍ୟ ଭିତ୍ତିକ କରିବା ପାଇଁ ଯୋଜନା ନେବା ନିନ୍ଦନୀୟ ଘଟଣା। ସରକାରଙ୍କର ନୂତନ ନିଷ୍ପତି ଦ୍ବାରା ଓଡ଼ିଶାର ସ୍ୱାର୍ଥ ଉପରେ ସିଧା ଆଘାତ ଏବଂ ଓଡ଼ିଶା ବିରୋଧୀ ପଦକ୍ଷେପ ବୋଲି ବିରୋଧୀ ଦଳମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ନ୍ୟାୟସଙ୍ଗତ ଅଧିକାରକୁ ଅଣଦେଖା କରିବା ସହିତ ଓଡ଼ଶାର ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ପୂର୍ବତଟ ରେଳପଥ ଜୋନ୍ ଅଫିସ ସମ୍ମୁଖରେ ଖୁବ୍ ଶୀଘ୍ର ଗଣଧାରଣା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମିଳିତ ବିରୋଧୀ ଦଳ ଘୋଷଣା କରିଛି। ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପୂର୍ବ- କେନ୍ଦ୍ରୀୟ ରେଳପଥ ସହିତ ଥିବା ସୁନ୍ଦରଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ରେଳ ବିଭାଗଗୁଡ଼ିକୁ ପୂର୍ବତଟ ରେଳପଥ ଜୋନ୍‌ରେ ଅନ୍ତର୍ଭୁକ୍ତ କରିବା ଏବଂ ଦୀର୍ଘଦିନର ଦାବି ଅନୁଯାୟୀ ରାଉରକେଲାରେ ନୂତନ ରେଳ ଡିଭିଜନ୍ ତୁରନ୍ତ ଘୋଷଣା କରିବା ଏବଂ ପାଲାସା–ଇଚ୍ଛାପୁରମ୍ ବିଭାଗ ସ୍ଥାନାନ୍ତରଣ ପାଇଁ ଓଡ଼ିଶାକୁ କ୍ଷତିପୂରଣ ଘୋଷଣା କରିବା ପାଇଁ ଦାବି କରାଯାଇଛି।
ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ଖୁବ୍ ଶୀଘ୍ର ବିଶାଳ ମିଳିତ ଗଣଧାରଣା ଆୟୋଜନ କରାଯିବ। ଓଡ଼ିଶାର ସ୍ୱାର୍ଥ ପାଇଁ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ କରାଯାଇଛି। ଆୟୋଜିତ ଏହି ମିଳିତ ବିରୋଧୀଦଳମାନଙ୍କର ବୈଠକରେ କଂଗ୍ରେସ ଦଳର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ସିପିଆଇ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ କୁମାର ସିଂହଦେଓ, ଜୟନ୍ତ ଦାସ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ,ବଦ୍ରି ନାରାୟଣ ଦାଶ, ସିପିଆଇ(ଏମଏଲ)-ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡା, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏବଂ ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ କୁମାର ସାମନ୍ତରା ସମେତ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ପଟ୍ଟନାୟକ, ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ସ୍ୱରୂପ ଦାସ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.