ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଚଳୁ, ଭିଜିଲାନ୍‌ସ ତଦନ୍ତ ଲାଗି ସୁପାରିସ୍‌

add-all

ବ୍ରହ୍ମପୁର/ବେଗୁନିଆପଡ଼ା: ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଖାଇଗଲେ। କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ପଠାଇ ପରେ ତାହାକୁ ଉଠାଣ ହୋଇଛି। ଡାକ୍ତରଖାନାରେ ଏରିୟର୍‌ ଟଙ୍କା ହଡ଼ପ ନେଇ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଆଜି ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ଗତ ଜାନୁଆରି ମାସରେ ଏ କଥା ବାହାରକୁ ଆସିଥିଲା। ଗଂଜାମଜିଲ୍ଲା କୋଦଳା ଟ୍ରେଜେରି ପକ୍ଷରୁ ଆର୍ଥିକ ଅନିୟମିତତା ନେଇ ଲିଖିତ ଅବଗତ କରାଯାଇଥିଲା। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଏହା ଜଣାଇବା ପରେ ପ୍ରଶାସନ ପାଖେ ଖବର ପହଞ୍ଚିଲା। ପରେ ଏଡିଏମ୍ଓ ଡା. ବିଶ୍ଵମ୍ଭର ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଏହାର ତଦନ୍ତ କରିଥିଲେ। ଯେଉଁଥିରେ କେଳେଙ୍କାରୀର ପୂରା ଚିତ୍ର ଧରାପଡ଼ିଥିଲା।
ବକେୟା ଏରିୟର ବାବଦରେ ଟଙ୍କା ଉଠୁଥିଲା। ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ୨ କୋଟି ୫୧ ଲକ୍ଷ ୧୪ ହଜାର ୬୨ ଟଙ୍କା ଏପରି ଉଠିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୭ କର୍ମଚାରୀଙ୍କ ନିକଟକୁ ଉକ୍ତ ଟଙ୍କା ଯାଇଥିଲା। ଅତିରିକ୍ତ ଟଙ୍କା ଭାବେ କର୍ମଚାରୀଙ୍କ ଆକାଉଣ୍ଟକୁ ଯିବା ପରେ ତାହାକୁ ଉଠାଣ କରାଯାଉଥିଲା। ଏ ବାବଦରେ ସୁପରିଟେଣ୍ଡେଣ୍ଟ କିଛି ଜାଣି ନଥିବା କହୁଛନ୍ତି। ଏପରିକି ତାଙ୍କ ଡିଜିଟାଲ୍‌ ଦସ୍ତଖତକୁ ବେଆଇନ୍‌ ଭାବେ ବ୍ୟବହାର କରାଯାଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।
ଇତି ମଧ୍ୟରେ ସ୍ବାସ୍ଥ୍ୟବିଭାଗକୁ ତଦନ୍ତକାରୀ ଟିମ୍‌ ରିପୋର୍ଟ ଦେଇଥିଲା। ଏଥିରେ ପ୍ରାରମ୍ଭିକ ଭାବେ ୭ ଜଣ ସଂଶ୍ଳିଷ୍ଟ ଥିବା କୁହାଯାଇଥିଲା। ଯାଞ୍ଚ ପରେ ଆଜି ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିଲମ୍ବନ କରାଯାଇଛି। ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ଦେବେନ୍ଦ୍ର ନାଥ ଗୌଡ଼ଙ୍କ ମୃତ୍ୟୁ ହୋଇ ସାରିଛି। ଅନ୍ୟମାନେ ହେଲେ ଏମ୍‌ପିଏଚ୍‌ଡବ୍ଲୁ ଭାରତୀ ପ୍ରଧାନ, ଅନ୍ନପୂର୍ଣ୍ଣା ସାହୁ, ଆଟେଣ୍ଡାଣ୍ଟ ଗୋପାଳ ନାହାକ, ରାମଚନ୍ଦ୍ର ମଲ୍ଲିକ, ନର୍ସିଂ ଅଫିସର ସରୋଜିନୀ ବେହେରା ଓ ବରିଷ୍ଠ ସହାୟକ ଯତୀନ କୁମାର ଭୂୟାଁ। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡା. ଆଦିତ୍ୟ ପ୍ରସାଦ ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ବିରୋଧରେ ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଆପରାଧିକ ମାମଲା ସହ ଭିଜିଲାନ୍ସ ତଦନ୍ତ ଲାଗି ସୁପାରିଶ କରାଯାଇଛି।

ad-week
Leave A Reply

Your email address will not be published.