
ନୂଆଦିଲ୍ଲୀ: କେରଳରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବାମପନ୍ଥୀଙ୍କୁ ପୁଣି ତୀବ୍ର ସମାଲୋଚନା କରିଛନ୍ତି। କେରଳ ଷ୍ଟୋରୀ ଓ ଧୂରନ୍ଧର ପରି ଚଳଚ୍ଚିତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏଲ୍ଡିଏଫ୍ ଓ ୟୁଡିଏଫ୍ ମିଛ କହିବାରେ ସିଦ୍ଧହସ୍ତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହିସବୁ ଚଳଚ୍ଚିତ୍ରର କାହାଣୀକୁ ସେମାନେ ମିଛ କହୁଥିବାବେଳେ ବାସ୍ତବରେ ମିଛ କହିବାରେ ସେମାନଙ୍କ ପାରଙ୍ଗମ ହୋଇଯାଇଛନ୍ତି।କଂଗ୍ରେସ ଓ ବାମଦଳଙ୍କୁ ମିଥ୍ୟାର ଫ୍ୟାକ୍ଟ୍ରି ବୋଲି କହି ପ୍ରଧାନମନ୍ତ୍ରୀ ସମାଲୋଚନା କରିବା ସହିତ ବିଦେଶ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫ୍ସିଆର୍ଏ) ଓ ସମାନ ନାଗରିକ ସଂହିତା (ୟୁସିସି)କୁ ସମ୍ପର୍କରେ ଦୁଇ ଦଳ ମିଥ୍ୟା ପ୍ରଚାର କରିବା ସହିତ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ଗୋଆରେ ଦୀର୍ଘ ବର୍ଷ ହେଲା ୟୁସିସି ରହିଛି। ସିଏଏକୁ ନେଇ ମଧ୍ୟ ସେମାନେ ମିଥ୍ୟା ପ୍ରଚାର କରିଥିଲେ। ମିଥ୍ୟା କହିବା ସେମାନଙ୍କର ଅଭ୍ୟାସରେ ପାଲଟିଗଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗଲ୍ଫ ଓ ଇରାନ ଯୁଦ୍ଧ ବିଷୟରେ ମଧ୍ୟ ମିଥ୍ୟା ପ୍ରଚାର କରିଥିଲେ ବୋଲି କେରଳରେ ଏକ ଜନସଭାକୁ ସମ୍ବୋଧନ କରି ମୋଦୀ କହିଛନ୍ତି। ଏପରି ଦାୟିତ୍ବହୀନ ମନ୍ତବ୍ୟ ଭାରତର ମଜଭୁତ ସ୍ଥିତିକୁ ପ୍ରଭାବିତ କରିବ ବୋଲି ମୋଦୀ ଚେତାଇ ଦେଇଛନ୍ତି। ନିର୍ବାଚନ ଜିତିବାକୁ ଓ ମୋଦୀଙ୍କୁ ଗାଳି କରିବାକୁ କଂଗ୍ରେସ ମଧ୍ୟପ୍ରାଚ୍ୟରେ ଥିବା ୧ କୋଟି ଭାରତୀୟ ପ୍ରବାସୀଙ୍କ ଜୀବନକୁ ବିପଦକୁ ଠେଲି ଦେଉଛି ବୋଲି ସେ କହିଛନ୍ତି। ଇରାନରେ ଥିବା ତାମିଲନାଡ଼ୁ, ଗୋଆ, କେରଳ, ତେଲଙ୍ଗାନା ଓ ପୁଡୁଚେରୀର ମତ୍ସ୍ୟଜୀବୀ ଏବେ ବିପଦରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏପର୍ଯ୍ୟନ୍ତ ଶହ ଶହ ଲୋକଙ୍କୁ ଭାରତ ଅଣାଯାଇ ପାରିଛି। ସେମାନଙ୍କ ଜୀବନ ଆମ ପାଇଁ ଅମୂଲ୍ୟ। କଂଗ୍ରେସ ନିଜର ସ୍ବାର୍ଥବାଦୀ ରାଜନୀତି ପାଇଁ କେରଳ ଲୋକଙ୍କୁ କ୍ଷମା ପ୍ରାର୍ଥନା କରୁ ବୋଲି ମୋଦୀ କହିଛନ୍ତି। ଏହି ଜନସଭାରେ ମୋଦୀ କହିଛନ୍ତି, କଂଗ୍ରେସ ଚାହୁଛି ପଶ୍ଚିମ ଏସିଆ ଦେଶମାନେ ଭାରତକୁ ଶତ୍ରୁ ଭାବେ ଦେଖନ୍ତୁ। ବିଜେପି ନେତୃତ୍ବାଧୀନ ଏନଡିଏ କେରଳରେ ଆଗାମୀ ସରକାର ଗଠନ କରିବ ବୋଲି ମୋଦୀ କହିଥିଲେ। ମୋଦୀ ବହୁସଂଖ୍ୟକ ମହିଳାଙ୍କ ଉପସ୍ଥିତି ନେଇ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ କେରଳରେ ଆସନ୍ତା ୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ମେ’ ୪ରେ ମତଗଣନା ହେବ।