ଦୀପ ତଳ ଅନ୍ଧାର: ଡ୍ୟାମ ନିକଟରେ ଜଳ ପାଇଁ ହାହାକାର, ମାଲକାନଗିରିରେ ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା

add-all

ମାଲକାନଗିରି : ଉପାନ୍ତ ଜିଲ୍ଲା ମାଲକାନଗିରିରେ ‘ଦୀପ ତଳ ଅନ୍ଧାର’ ସଦୃଶ୍ୟ ଏକ ବିଡ଼ମ୍ବନାପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲା ସଦର ମହକୁମା ନିକଟସ୍ଥ ସତୀଗୁଡା ଗ୍ରାମ ଡ୍ୟାମ ନିକଟରେ ଅବସ୍ଥିତ ହୋଇଥିଲେ ହେଁ ଏଠାରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ପାଇଁ ଜନତା ତ୍ରାହି ତ୍ରାହି ଡାକୁଥିବା ବେଳେ ପ୍ରଶାସନର ନିରବତା ପ୍ରତିବାଦରେ ଶତାଧିକ ମହିଳା ଗରା ଓ ବାଲ୍ଟି ଧରି ସତୀଗୁଡା ଓ ମାଲକାନଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତାକୁ ଅବରୋଧ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ହାତଗଣତି କିଛି ନଳକୂପରୁ ଆଇରନଯୁକ୍ତ ପାଣି ବାହାରୁଥିବାରୁ ଲୋକେ ପାନୀୟ ଜଳ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ସମୟରେ ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଏହି ସମସ୍ୟା ବାବଦରେ ପୂର୍ବରୁ ଅନେକ ଥର ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ପ୍ରଶାସନ ସାଜିଥିବା ଏହି ନିରବ ଦ୍ରଷ୍ଟା ମନୋଭାବ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ପ୍ରଶାସନ କେବେ ସତୀଗୁଡା ଗ୍ରାମବାସୀଙ୍କ ଗୁହାରି ଶୁଣୁଛି ଏବଂ ଜଳ ସଙ୍କଟ ଦୂର କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.