ଶାହଙ୍କୁ ମୁଢି ଘାଣ୍ଟ ଏବଂ ମାଂସ କଷା ଖାଇବାକୁ କହିଲା TMC !

add-all

କୋଲକାତା, ୦୫/୦୪ : ଖାଦ୍ୟ-ପେୟକୁ ନେଇ ସଦାବେଳେ ପଶ୍ଚିମବଙ୍ଗ ଟର୍ଚ୍ଚାରେ ରହିଥାଏ । ଏଠାରେ ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ମିଳେ । ନିରାମିଷ ସହ ଆମିଷର ଅନେକ ଖାଦ୍ୟ ସହଜରେ ମିଳିଯାଏ । ଏବେ ରାଜ୍ୟରେ ନିର୍ବାଚନ ମାହୋଲ ଥିବାରୁ ପ୍ରତିଦିନ ବଡ ବଡ ନେତାଙ୍କ ସୁଅ ଛୁଟୁଛି । ଦିଲ୍ଲୀର ନେତା ପଶ୍ଚିମବଙ୍ଗର ପଲ୍ଲୀ ବୁଲୁଛନ୍ତି । ନିଜ ନିଜ ଦଳ ପାଇଁ ଭୋଟ୍ ମାଗୁଛନ୍ତି । ରାଜ୍ୟରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମୁକାବିଲା ହେଉଛି । ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟରେ ୧୫ ଦିନ ରହି ନିର୍ବାଚନ ପରିଚାଳନା କରିବେ ବୋଲି କହି ସାରିଛନ୍ତି ।
ଗତ ଦୁଇ ଦିନ ତଳେ ଅମିତ ଶାହ ପଶ୍ଚିମବଙ୍ଗରେ ୧୫ ଦିନ ରହିବେ ବୋଲି କହିଥିଲେ । ଯାହାକୁ ନେଇ ଟିଏମସି ସୋସିଆଲ ମିଡିଆରେ ମଜାଳିଆ ପ୍ରତିକ୍ରିୟା ଦେଇଛି । ଟିଏମସି ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମବଙ୍ଗ ନିଜ ଅତିଥିଙ୍କ ସତ୍କାରରେ ହେଳା କରେନାହିଁ । ସେମାନେ ଅତିଥିଙ୍କୁ ଖୋଲା ବାହୁରେ ସ୍ୱାଗତ କରନ୍ତି । ଶାହ ଯେତେଦିନ ଚାହିଁବେ ଏଠାରେ ରହିପାରିବେ । ଏହାସହ ରାଜ୍ୟର କିଛି ଖାସ୍ ବ୍ୟଞ୍ଜନ ମଧ୍ୟ ଶାହ ଖାଇପାରିବେ ବୋଲି ଟିଏମସି ତରଫରୁ କୁହାଯାଇଛି । ଏହି ସବୁ ଖାଦ୍ୟ ଭିତରେ ମୁଢି ଘାଣ୍ଟ, ପାବଦା ମାଛ ଝୋଳ, ଇଲିଶି ଭାପା, ଚିଙ୍ଗୁଡି ମଲାଇ ତରକାରୀ, ଭେଟକି ପାଟୁରି ଏବଂ ମାଂସ କଷା ରହିଛି ।
ତେବେ ଏଭଳି ପୋଷ୍ଟ୍ କରି ଟିଏମସି ବିଜେପିକୁ କଟାକ୍ଷ କରିଛି । ଏହାସହ ରାଜନୀତିକୁ ସରଗରମ କରିଦେଇଛି । କାରଣ ଟିଏମସି ଯେଉଁ ସବୁ ଆଇଟମ୍ ପୋଷ୍ଟ୍ କରିଛି ସେ ସବୁ ଆମିଷ । ବିଜେପି ପ୍ରାୟତଃ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେଇଥାଏ । ଏହି ପୋଷ୍ଟ୍ ଦ୍ୱାରା ରାଜ୍ୟରେ ବିଜେପି ସରକାରକୁ ଆସିଲେ ପଶ୍ଚିମବଙ୍ଗର ପାରମ୍ପରିକ ଖାଦ୍ୟ ପେୟରେ ପରିବର୍ତ୍ତନ ଆସିବା ନେଇ ଟିଏମସି ପକ୍ଷରୁ ସଙ୍କେତ ଦିଆଯାଇଛି ।
ଆହୁରି ମଧ୍ୟ ଟିଏମସିର ଆଇଟମ୍ ଲିଷ୍ଟ୍ କୋଲକାତାର ପ୍ରାଚୁର୍ଯ୍ୟ ପରମ୍ପରା ଏବଂ ଖାଦ୍ୟ ପଦ୍ଧତିକୁ ଦର୍ଶାଉଛି । ଏଠାକାର ଲୋକେ ମୁଖ୍ୟତଃ ମାଛପ୍ରିୟ ଅଟନ୍ତି । ନିର୍ବାଚନ ପ୍ରଚାରରେ ମଧ୍ୟ ଟିଏମସି ନେତା ବିଜେପି ସରକାର ଗଠନ କଲେ ଆମିଷ ଖାଦ୍ୟ ଉପରେ କଟକଣା ଲଗାଇଦେବ ବୋଲି କହି ବୁଲୁଛନ୍ତି ।

Leave A Reply

Your email address will not be published.