ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି

add-all

ଭୁବନେଶ୍ବର ୦୬/୦୪: ଟାର୍ଗେଟରେ ୨୦୨୭ ପଞ୍ଚାୟତ ନିର୍ବାଚନ । ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେପି ଓ ବିଜେଡିର ରଣନୀତି । ଅକ୍ଟୋବର,ନଭେମ୍ବରରୁ ବିଜେଡି ସୁପ୍ରିମୋ ନବୀନ ଜିଲ୍ଲା ବୁଲିବା କଥା କହିବା ପରେ ବିଜେପି ଆରମ୍ଭ କରିବ ଗାଁ ଚାଲ ଅଭିଯାନ । ଯାହାକୁ ନେଇ ପୁଣି ରାଜନୀତି ଓ ବୟାନବାଜି ଆରମ୍ଭ ହୋଇଯାଇଛି । ଏମିତି ଦେଖିବାକୁ ଗଲେ ପଞ୍ଚାୟତ ନିର୍ବାଚନକୁ ଆହୁରି ସମୟ ଅଛି । କିନ୍ତୁ ସ୍ବାଭାବିକ ଭାବରେ ରାଜନୈତିକ ଦଳଗୁଡିକ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ଓ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବା ନେଇ ସୂଚନା ମିଳିଥିଲା । ସୋମବାର ବିଜେପି ମଧ୍ୟ ଲୋକଙ୍କ ନିକଟତର ହେବାକୁ ‘ଗାଁ ଚାଲ ଅଭିଯାନ’ ସଂପର୍କରେ ଘୋଷଣା କରିଛି । ଯାହାକୁ ନେଇ ପୁଣି ରାଜନୀତି ଓ ବୟାନବାଜି ଆରମ୍ଭ ହୋଇଯାଇଛି ।ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ବିଜେପିକୁ କଟାକ୍ଷ କରି କହିଛନ୍ତି ନବୀନ ବାବୁ ଏବେ ଜିଲ୍ଲା ବୁଲିବେ ସେହି ଭୟରେ ଗାଁକୁ ଯିବାକୁ ଯୋଜନା କରୁଛି ବିଜେପି । ବିଜେପି ଡ୍ରାମା ଆରମ୍ଭ କରିଛି । ବିକାଶ ବନ୍ଦ ହୋଇସାରିଛି । ଲୋକଙ୍କ କାମ ହେଉନି । ବିଭାଗର ପଇସା ଖର୍ଚ୍ଚ ହୋଇପାରୁନି । ଲୋକେ ଜାଣିଗଲେଣି ସରକାରଙ୍କ ଟଙ୍କା ଖର୍ଚ୍ଚ କରିବାର ଆନ୍ତରିକତା ନାହିଁ । ଏମାନେ ଗାଁକୁ ଯାଇ କଣ ସନ୍ଦେଶ ଦେବେ । ଚାଷୀ ହଇରାଣ ହେଉଛନ୍ତି କେଉଁ କାମ କରିଛନ୍ତି ଯେ ଲୋକଙ୍କ ପାଖକୁ ଯିବେ । ଲୋକ ତାତିଲେଣି । ମିଛ କହି ସରକାରକୁ ଆସିଛନ୍ତି । ଏବେ ମିଛ ପ୍ରଚାର ପାଇଁ ଗାଁକୁ ଯିବେ ଲୋକ ଏହା ଜାଣିଲେଣି । ଏଥିରେ ସେମାନେ ବିଫଳ ହେବେ ।
ବିଜେଡି ବିଧାୟକ ଦିଶାରୀଙ୍କ ଅଭିଯୋଗର କଡା କାଉଣ୍ଟର କରିଛି ବିଜେପି । ଦଳର ରାଜ୍ୟ ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି ।ବିଜେପି ତାର ସଂଗଠକକୁ ପ୍ରତି ଘରକୁ ପହଞ୍ଚାଇବା ପାଇଁ ସବୁ ସମୟରେ ପ୍ରୟାସରତ। ଏହାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗାଁ ଗାଁ ରେ ବିଜେପି ସଙ୍ଗଠନ କିଭଳି ମଜବୁତ ହେବ ତାକୁ ନେଇ ରାଜନୀତି କରାଯାଉଛି। ସରକାରଙ୍କ ସଫଳତା ଲୋକଙ୍କ ପାଖକୁ ପହଞ୍ଚାଯିବ। ବିଜେପି କର୍ଯ୍ୟକର୍ତା ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ। ରାଜନୈତିକ ଦଳ ପାଇଁ ନିର୍ବାଚନ ସବୁବେଳେ ଆସେ। ବିଜେପିରେ ୩୬୫ ଦିନ ଧରି ସାଙ୍ଗଠନିକ କାମ ହୁଏ। ସେଇ ଆଧାରରେ ଗାଁ ଚାଲ ଅଭିଯାନ ଆମେ ଆରମ୍ଭ କରିବୁ ।
ପୂର୍ବରୁ ବିଜେଡି କହିଥିଲା ପୁଣି ଦଳର ସୁପ୍ରିମ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂଆ ଅଭିଯାନ ସଂପର୍କରେ ଆଭାସ ଦେଇଥିଲା ବିଜୁ ଜନତା ଦଳ । ଲୋକଙ୍କ ପାଖକୁ ଯିବେ ନବୀନ । ଏଥିପାଇଁ ଦଳୀୟ ବିଧାୟକ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ଅକ୍ଟୋବର ଓ ନଭେମ୍ବରରୁ ଜିଲ୍ଲା ଗସ୍ତ କରିବେ । ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୪ରେ ପରାଜୟ ପରେ ଦଳର ସ୍ଥିତି ସୁଧାରିବାକୁ ନବୀନ ନିଜେ ମଇଦାନକୁ ଓହ୍ଲାଇବେ । ଏହା ଭିତରେ ଅନେକ ନେତା ବିଜେଡି ଛାଡି ବିଜେପିରେ ମିଶି ସାରିଲେଣି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ବୃହତ୍ତ ବିଜୟ ହାସଲ କରିଥିଲା । ୮୫୨ଟି ଜିଲ୍ଲା ପରିଷଦ ସିଟ୍‌ ମଧ୍ୟରୁ ବିଜେଡି ୭୬୬ ଜିତି ସମସ୍ତ ୩୦ ଜିଲ୍ଲାରେ ପରିଷଦ ଗଠନ କରିଥିଲା । କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ନବୀନଙ୍କ କ୍ରେଜ କାମ କଲାନି । ଏବେ ଦଳକୁ ସଜାଡିବା ପାଇଁ ନବୀନ ଗୁରୁତ୍ବପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଗକୁ ସମୟ କହିବ ଜନତା ଜନାର୍ଦ୍ଦନଙ୍କ ନିର୍ଣ୍ଣୟ କହିବ କାହା ରଣନୀତି କେତେ କାମ କରିବ ।

Leave A Reply

Your email address will not be published.