
ଉମରକୋଟ/ଝୋରୀଗାଁ : ନବରଙ୍ଗପୁର ଜିଲ୍ଲା ଝୋରୀଗାଁ ବ୍ଲକ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତ ଗତି ଓ ବେପରୁଆ ଭାବେ ଓଭରଟେକ କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ବଡ଼ ଧରଣର ଦୁର୍ଘଟଣାରେ ପିଣ୍ଟୁ ଭଣ୍ଡାରୀ ଓ ତାଙ୍କ ପରିବାର ସଦସ୍ୟ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି।
ସୂଚନା ଅନୁଯାୟୀ, ଝୋରୀଗାଁ ବ୍ଲକର ବାସିନ୍ଦା ପିଣ୍ଟୁ ଭଣ୍ଡାରୀ ନିଜ ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ପାଇଁ ଆର୍ଟିକା କାର୍ (ନମ୍ବର: OD-10Q-3852) ଯୋଗେ ଉମରକୋଟ ମେଡିକାଲକୁ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ ଧନପୁର ନିକଟରେ ପଛରୁ ଆସୁଥିବା ଏକ ଅନ୍ୟ କାର୍ (ନମ୍ବର: ORB-2AX-7410) ଅତ୍ୟଧିକ ବେଗରେ ଓଭରଟେକ କରିବାକୁ ଚେଷ୍ଟା କରି ପିଣ୍ଟୁଙ୍କ ଗାଡ଼ିକୁ ଭୟଙ୍କର ଭାବେ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ସମସ୍ତ ପରିବାର ସଦସ୍ୟ ସୁରକ୍ଷିତ ଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଏକ କାଳ୍ପନିକ ରକ୍ଷା ବୋଲି କହିଛନ୍ତି। ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ତତକ୍ଷଣାତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କିନ୍ତୁ ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରେ ରହିଯାଇଥିଲେ। ସେମାନେ ଦୁଇଜଣ ମଦ୍ୟପାନ କରିଥିବା ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଖବର ପାଇ ଝୋରୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ସଡ଼କ ସୁରକ୍ଷା ନିୟମକୁ ମାନିବା ସହ ନିଶାସକ୍ତ ଅବସ୍ଥାରେ ଗାଡ଼ି ନଚଲାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି।
(ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ)