
ନୟାଗଡ଼: ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ କିଛି କର୍ମଚାରୀଙ୍କ ପକେଟର ମଙ୍ଗଳ ପାଇଁ କାର୍ଯ୍ୟ କରୁଛି ।ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗର କିଛି ଠିକା କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ହାତ ବାରିଶୀ କରି ଶିଶୁ ମାନଙ୍କ ସ୍ବାର୍ଥ ବଦଳରେ ନିଜର ସ୍ବାର୍ଥ ସାଧନାରେ ବ୍ୟସ୍ତ ।ନୟାଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅଗ୍ନି ନିରାପତ୍ତା ପାଣ୍ଠିକୁ ହଡ଼ପ କରାଯାଇଥିବା ଅଭିଯୋଗ ଆସିଛି ।ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଗୋଟିଏ ଶସ୍ତା କମ୍ବଳ ଓ ବାଲଟି ଧରାଇ ଦେଇ ସରକାରୀ ଅର୍ଥକୁ ବାଟ ମାରଣା କରାଯାଇଛି ।ନୟାଗଡ଼ ଜିଲ୍ଲାରେ ୧୫୮୪ ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ୧୦୪୦ଟି କେନ୍ଦ୍ରର ନିଜସ୍ଵ ଗୃହ ଥିବାବେଳେ ଅନ୍ୟ କେନ୍ଦ୍ର ଗୁଡ଼ିକ ଗାଁ କୋଠଘର କିମ୍ବା ସ୍କୁଲ ବାରଣ୍ଡାରେ ଚାଲୁଛି।ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଗ୍ନି ନିରାପତ୍ତା ସାମଗ୍ରୀ କିଣିବା ପାଇଁ ୧ହଜାର ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି।
ଏହି ଅନୁଦାନ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ବିଭାଗ ସମସ୍ତ ସିଡିପିଓ ଜରିଆରେ ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରାନଯାଇ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଅର୍ଥକୁ ହରିଲୁଟ ଉଦ୍ଦେଶ୍ୟରେ ଭିନ୍ନ ରାସ୍ତା ବାଛିଛନ୍ତି ।ଏହି ଅର୍ଥକୁ କୌଣସି ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ ପ୍ରଦାନ କରି ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଏକ ଶସ୍ତା କମ୍ବଳ ଏବଂ ଏକ ନାଲି ରଙ୍ଗ ମାରା ବାଲଟି ଦିଆଯାଇଛି । ଏହାକୁ ନେଇ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କର୍ମୀ ପ୍ରଶ୍ନ ଉଠାଇବା ସହିତ ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ, ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କ ପୃଷ୍ଠପୋଷକତାରେ ଏହି ଅନିୟମିତତା ହେବାର ଅଭିଯୋଗ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା କମ୍ବଳ ଏବଂ ବାଲଟି ୫ଶହ ଟଙ୍କାରୁ କମ୍ ହେବା ସହିତ ଅବଶିଷ୍ଟ ବଳକା ଅର୍ଥକୁ ଚଳୁ କରାଯାଇଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ବାଲଟି ଓ କମ୍ବଳ ଦ୍ଵାରା କିଭଳି ଅଗ୍ନି ନିରାପତ୍ତା କରାଯିବ ତାହାକୁ ଅନେକ ଗ୍ରହଣ କରିନାହାଁନ୍ତି ।ଅଙ୍ଗନବାଡ଼ି କେନ୍ଦ୍ରକୁ ଅଗ୍ନି ନିରାପତ୍ତା ସ୍ପ୍ରେ ସିଲିଣ୍ଡର ଯୋଗାଇବା ବଦଳରେ କାହିଁକି କମ୍ବଳ ଓ ବାଲଟି ଯୋଗାଇ ଦିଆଯାଇଛି ।ପ୍ରତ୍ୟେକ ଅଙ୍ଗନବାଡ଼ି ରେ ରନ୍ଧାଖାଦ୍ୟ ଦେବାପାଇଁ କଠାଚୁଲି କିମ୍ବା ଗ୍ୟାସର ବ୍ୟବସ୍ଥା ରହିଛି।ପିଲାମାନେ ଏହାର ନିକଟରେ ରହି ପାଠ ପଢ଼ୁଛନ୍ତି ।ସରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମନ୍ୱିତ ଶିଶୁ ବିଭାଗ ଭିତିରିଆ ପକେଟ୍ ଗରମ ପାଇଁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ପ୍ରତିକ୍ରିୟାରେ ସେ କୌଣସି ତଥ୍ୟ ଜାଣିନଥିବା କହିଛନ୍ତି ଏବଂ ଏ ବାବଦରେ ବଡ଼ବାବୁ କିମ୍ବା ପୂର୍ବତନ ଡିଏସଡବ୍ଲୁଓ କହି ପାରିବେ ବୋଲି କହିଛନ୍ତି ।