
ଜୟପୁର: ସାରଣ୍ଡାର ଘନ ଜଙ୍ଗଲରେ ସ୍ଥିତ ଜରାଇକେଲା ଥାନା ଅଞ୍ଚଳର ବାବୁଡେରା ସିଆରପିଏଫ୍ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଘଟଣାରେ କୋବ୍ରା ୨୧୦ ବାଟାଲିଅନ୍ର କନଷ୍ଟେବଲ୍ ରାକେଶ କୁମାରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ସୁରକ୍ଷା ବଳଙ୍କ ମଧ୍ୟରେ ଶୋକ ଦେଖାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଗତକାଲି ମଙ୍ଗଳବାର ରାତିରେ ଘଟିଛି। ଯେତେବେଳେ ଯବାନ ରାକେଶ କୁମାର କ୍ୟାମ୍ପରେ ଶୋଇ ଥିଲେ। ଏହି ସମୟରେ ହଠାତ୍ ଏକ ବିଶାଳ ଗଛ ଭାଙ୍ଗି ପଡ଼ିଥିଲା ଏବଂ ସେଥିରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣାଟି ହଠାତ ଘଟିଥିବା ଯୋଗୁଁଁ ଯବାନ ଜଣକ ନିଜକୁ ବଞ୍ଚାଇବାର ସୁଯୋଗ ମଧ୍ୟ ପାଇ ନ ଥିଲେ। ଘଟଣା ପରେ କ୍ୟାମ୍ପରେ ଆତଙ୍କ ଓ ଅସ୍ଥିରତା ଦେଖିବାକୁ ମିଳିଥିଲା। ମୃତ ଯବାନଙ୍କ ସହ କର୍ମୀମାନେ ତୁରନ୍ତ ପଦକ୍ଷେପ ନେଇ ଆହତ ରାକେଶ କୁମାରଙ୍କୁ ରାଞ୍ଚୀର ଏକ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଉପସ୍ଥିତ ଡାକ୍ତରମାନେ ତାଙ୍କୁ ଗୁରୁତର ଅବସ୍ଥା ଦେଖି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ, ମାତ୍ର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ପରେ ସୁରକ୍ଷା ବଳ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଯବାନଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାର ପାଇଁ ଅପୂରଣୀୟ କ୍ଷତି ଆଣିଛି। ସ୍ଥାନୀୟ ପ୍ରଶାସନ ଏବଂ ସମ୍ପର୍କିତ ବିଭାଗ ଘଟଣାର ତଦନ୍ତରେ ଲାଗିଥିବା ସହ, ଆଗାମୀ ଦିନରେ ଏପରି ଘଟଣା ଯେମିତି ନ ଘଟେ ସେଥିପାଇଁ କ୍ୟାମ୍ପର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଉଛି। ସହଯୋଗୀ ଯବାନମାନେ ରାକେଶ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ରାକେଶଙ୍କ ମୃତ୍ୟୁ ସମସ୍ତ ସୁରକ୍ଷା ବଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ।