
ମାଲକାନଗିରି, ୯।୪ : ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ନରସିଂହ ମାଡ଼କାମି, ଜିଲ୍ଲା ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଅଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧିତ ନେତାମାନଙ୍କୁ ମାଲା, ଉତ୍ତରୀୟ ଏବଂ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ, ପୂର୍ବତନ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ୍, ମାଣିକ ଲାଲ୍ ଚକ୍ରବର୍ତ୍ତୀ, ଭବାନୀ ଶଙ୍କର ମୁଖାର୍ଜୀ, ସଞ୍ଜୟ ସରକାର, ସମୀର ମିସ୍ତ୍ରୀ, ନିହାର ରାୟ,ନିରଞ୍ଜନ ହଳଦାର, ଏବଂ ନାରାୟଣ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ନେତାମାନେ ନବ ନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ନବ ନିଯୁକ୍ତ ମାନେ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଏହି ନିଯୁକ୍ତି ଜିଲ୍ଲାର ପଛୁଆ ଅଞ୍ଚଳର ଉନ୍ନୟନକୁ ନୂତନ ଗତି ଦେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ। ଶେଷରେ ଦଳୀୟ କର୍ମୀମାନେ ନେତାମାନଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ ପାଇଁ ଏକଜୁଟ ହେବାର ଶପଥ ନେଇଥିଲେ।