ଉମରକୋଟରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର: ୧୫ଟି ଅଭିଯୋଗର ହେଲା ସମାଧାନ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ନିମନ୍ତେ ଆଜି ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ (ଏସପି) ଶ୍ରୀ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ଆଜିର ଏହି ଶୁଣାଣି ଶିବିରରେ ମୋଟ ୧୫ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୯ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୬ଟି ସାମୁହିକ ବା ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହି ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଶିବିର ଶେଷରେ ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ “ଆମ ରୁଚି, ଆମ ଖାଦ୍ୟ” ପ୍ରଦର୍ଶନୀକୁ ଜିଲ୍ଲାପାଳ ଡ଼ଃ ସ୍ୱାଇଁ ଉଦ୍‌ଘାଟନ କରିଥିଲେ। ସେଠାରେ ପ୍ରଦର୍ଶିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଷ୍ଟଲଗୁଡ଼ିକୁ ସେ ବୁଲି ଦେଖିବା ସହ ଓଡ଼ିଆ ସଂସ୍କୃତି ଓ ସୁସ୍ଥ ଖାଦ୍ୟ ଶୈଳୀର ପ୍ରଚାର ପ୍ରସାର ପାଇଁ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆଶା ସଞ୍ଚାର କରିଛି।

Leave A Reply

Your email address will not be published.