ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘକୁ ସୋସାଇଟି ପଞ୍ଜୀକରଣ ଆଇନ (୧୮୬୦) ଅନୁଯାୟୀ ସରକାରୀ ମାନ୍ୟତା ଓ ପଞ୍ଜୀକରଣ ମିଳିଛି। ସଂଘର ପଞ୍ଜୀକରଣ ସଂଖ୍ୟା ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭ ରହିଛି। ପଞ୍ଜୀକରଣ ପରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ସଂଘର କର୍ମକର୍ତ୍ତାମାନଙ୍କୁ ଆନୁଷ୍ଠାନିକ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଡ. ମଧୁସୂଦନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସହସମ୍ପାଦକ ସନ୍ୟାସୀ ନାୟକ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଉଲ ମଣ୍ଡଳ, ଯୋଗେନ୍ଦ୍ର ପଟ୍ଟନାୟକ, ବିନୋଦ ମିଶ୍ର, ଲକ୍ଷ୍ମୀଧର ରାଉତ, ସନାତନ ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଜୀକରଣ ସାର୍ଟିଫିକେଟ ମିଳିବା ପରେ ବାଲିଗୁଡ଼ାସ୍ଥିତ କାର୍ଯ୍ୟାଳୟରେ ସଭ୍ୟସଭ୍ୟାମାନେ ଏକତ୍ରିତ ହୋଇ କର୍ମକର୍ତ୍ତାଙ୍କୁ ଭବ୍ୟ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।
ଆଗାମୀ ଦିନରେ ଏହି ସଂଘ ବ୍ୟାପକ ସାମାଜିକ ତଥା ଜନହିତକର କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବ ବୋଲି ସଦସ୍ୟମାନେ ସଂକଳ୍ପ ନେଇଛନ୍ତି। ବିଶେଷକରି ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାର, ପାନୀୟ ଜଳ ସମସ୍ୟାର ସମାଧାନ, ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା, ବାଲ୍ୟବିବାହ ନିରୋଧ, କ୍ରୀଡ଼ାର ପ୍ରୋତ୍ସାହନ, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ, ଅସ୍ପୃଶ୍ୟତା ବିରୋଧୀ ସଚେତନତା ସୃଷ୍ଟି ଏବଂ ନିୟମିତ ଯୋଗ ଓ ପ୍ରାଣାୟାମ ଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯିବ। ଏଥିସହ ଅସହାୟ ବୃଦ୍ଧବୃଦ୍ଧା ତଥା ନିରାଶ୍ରୟ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା କରିବା ଦିଗରେ ସଂଘ ଯୋଜନା ପ୍ରସ୍ତୁତ କରୁଛି।
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟଧାରା ସହିତ ସମାଜସେବାକୁ ସମନ୍ୱିତ କରି ବରିଷ୍ଠ ନାଗରିକଙ୍କ ଦୀର୍ଘ ଜୀବନର ଅଭିଜ୍ଞତାକୁ ସମାଜ ଗଠନରେ ବିନିଯୋଗ କରିବା ଏହି ସଂଗଠନର ମୂଳ ଲକ୍ଷ୍ୟ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
