
ପୋଲସରା: ବଡ଼ ଭାଇର ବାହାଘରରେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାନଭାଇକୁ ବରବେଶରେ ଜଗିରହିଛି ବଡ଼ଭାଇ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁରେ । ବାହାଘର ପ୍ରୋଶେସନ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଆହତ ଯୁବକ ଜଣକ ହେଲେ ସନ୍ତୋଷ ଜେନାଙ୍କ ସାନପୁଅ ଆକାଶ ଜେନା । ବଡଭାଇ ରିଙ୍କୁ ଜେନାଙ୍କ ବାହାଘର ବରଯାତ୍ରୀରେ କୌଣସି କାରଣରୁ ଜଣେ ଯୁବକଙ୍କ ସହ ଆକାଶଙ୍କ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ଯୁବକ ଜଣକ ତାର ଅନ୍ୟ ସହଯୋଗୀ ମିଶି ଆକାଶକୁ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରିବାର ଲୋକେ ଆକାଶକୁ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆକାଶକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
