
ମାଲକାନଗିରି : ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ଏବଂ ପ୍ରଭାବଶାଳୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ତଥା ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। “ପ୍ରଶାସନ ଏବେ ଜନସାଧାରଣଙ୍କ ଦୁଆରମୁହଁରେ” ପହଞ୍ଚିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ପ୍ରତି ସୋମବାର ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ସାଧାରଣ ଲୋକଙ୍କୁ ନିଜର ଅଭିଯୋଗ ଜଣାଇବା ପାଇଁ ଆଉ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡ଼ିବ ନାହିଁ।
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ନିର୍ଦ୍ଧାରିତ ପଞ୍ଚାୟତଗୁଡ଼ିକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (ଏସପି) ନିଜେ ଉପସ୍ଥିତ ରହି ମିଳିତ ଅଭିଯୋଗ ଶୁଣାଣି କରିବେ। ଯେଉଁ ପଞ୍ଚାୟତରେ ଜିଲ୍ଲାପାଳ କିମ୍ବା ଏସପି ଉପସ୍ଥିତ ରହିପାରିବେ ନାହିଁ, ସେଠାରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶୁଣାଣିର ନେତୃତ୍ୱ ନେବେ। ସେହିପରି ସମାନ ସମୟରେ ଜିଲ୍ଲା ସଦର ମହକୁମାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଲୋକଙ୍କ ସମସ୍ୟା ଶୁଣିବେ।
ଏହି ସମଗ୍ର ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ ତହସିଲଦାର, ପୋଲିସ ବିଭାଗ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଶିବିରରେ ବାଧ୍ୟତାମୂଳକ ଭାବେ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଦୁର୍ଗମ ଅଞ୍ଚଳର ଲୋକମାନେ ଯେପରି ସହଜରେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ସରକାରୀ ସେବା ପାଇପାରିବେ, ସେଥିପାଇଁ ଏହାକୁ ଏକ ଜରୁରୀକାଳୀନ କାର୍ଯ୍ୟଭାର ଭାବେ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ସମସ୍ୟା ପ୍ରତି ପ୍ରଶାସନର ଏହି ସକ୍ରିୟତା ଓ ପ୍ରତିବଦ୍ଧତା ଆଗାମୀ ଦିନରେ ଏକ ସୁଶାସନର ନୂତନ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
