ସୁଧୀର ପାତ୍ର ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ, ତଦନ୍ତର ଦକ୍ଷତା ଉପରେ ଉଠିଲା ପ୍ରଶ୍ନବାଚୀ…

ବ୍ରହ୍ମପୁର : ଗୋପାଳପୁରର ଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଏହି ଘଟଣାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଥିବା ବେଳେ ଆଜି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ କରାଯାଇଛି। ରିମାଣ୍ଡରେ ଥିବା ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କ ମଧ୍ୟରୁ ସୁପାରି କିଲର ସୂର୍ଯ୍ୟ ପ୍ରତାପ ଏବଂ କାଳୁ ଚରଣ ପ୍ରଧାନଙ୍କୁ ଧରି ପୋଲିସ ବିଭିନ୍ନ ସ୍ଥାନକୁ ଯାଇଥିଲା।

ସୂଚନା ଅନୁଯାୟୀ, ସୁଧୀର ପାତ୍ର ଭଲିବଲ ଖେଳି ଫେରୁଥିବା ସମୟରେ ତାଙ୍କୁ କେଉଁଭଳି ଭାବେ ଅପହରଣ କରାଯାଇଥିଲା, ସେ ନେଇ ଅଭିଯୁକ୍ତମାନେ ପୋଲିସକୁ ଡେମୋ ଦେଖାଇଥିଲେ। ଏହାପରେ ବୁଗୁଡ଼ା ନିକଟସ୍ଥ ଏକ ମନ୍ଦିର, ଯେଉଁଠାରେ ସୁଧୀରଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା, ସେଠାକୁ ମଧ୍ୟ ଅଭିଯୁକ୍ତଙ୍କୁ ନେଇ ତଦନ୍ତ କରିଥିଲା ପୋଲିସ। ଏହି ସିନ୍ ରିକ୍ରିଏସନ ଜରିଆରେ ହତ୍ୟାକାଣ୍ଡ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି।
ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଅନେକ ଅସମାହିତ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ଏତେ ବଡ଼ ଜଘନ୍ୟ ହତ୍ୟାକାଣ୍ଡ ଘଟିବା ଏବଂ ପୋଲିସ ପାଖରେ ଖବର ପହଞ୍ଚିବା ପରେ ତୁରନ୍ତ ଟିମ୍ ଗଠନ କରାଯାଇଥିଲେ ସୁଦ୍ଧା ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେଲା କାହିଁକି? ହତ୍ୟାକାଣ୍ଡର ୮ ଦିନ ପର୍ଯ୍ୟନ୍ତ ସୁଧୀରଙ୍କୁ କାହିଁକି ବଞ୍ଚାଯାଇ ପାରିଲା ନାହିଁ ଏବଂ ଶବ ମିଳିବା ପରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ଅପରାଧୀଙ୍କୁ ଗିରଫ କରିବା ପଛରେ ପୋଲିସ କେବଳ ବାହାବା ନେବାକୁ ଚେଷ୍ଟା କରୁଛି କି ବୋଲି ସନ୍ଦେହ ସୃଷ୍ଟି ହୋଇଛି।
ଅଭିଯୋଗ ହେଉଛି ଯେ, ପୋଲିସ ହତ୍ୟାର ପରଦିନ ହିଁ ସବୁ ଜାଣିଥିଲା, କିନ୍ତୁ ନିଜର ଦକ୍ଷତାକୁ ଲୁଚାଇବା ପାଇଁ ଗିରଫଦାରୀରେ ବିଳମ୍ବ କରିଥିଲା। ଏହି ମାମଲାରେ ପୂର୍ବରୁ ଟଙ୍କା ନେଣଦେଣ ଓ ପରେ ଝିଆରୀର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ରିମାଣ୍ଡ ପରେ ପୋଲିସ କେଉଁ ନୂଆ ତଥ୍ୟ ସାମ୍ନାକୁ ଆଣୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
