କଲଭର୍ଟ ନିର୍ମାଣା ବେଳେ ମାଟି ସହ ଧସିଲା ମିକ୍ସଚର ମେସିନ, ଜଣେ ମୃତ

add-all

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭଞ୍ଜନଗର-ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗ ଗ୍ରାମ ନିକଟରେ ଏକ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟି ପଡ଼ିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ୨ଟି ଜେସିବି ସହ ୩ ଘଣ୍ଟା ପରିଶ୍ରମ କରି ମାଟିତଳୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ମିସ୍ତ୍ରୀଙ୍କ ନାମ ମଦନ ସିଂହ (୪୦) ଏବଂ ଘର ଝାରଖଣ୍ଡର ଲାତେହର ବୋଲି ଜଣାଯାଇଛି। 
ସୂଚନା ଅନୁଯାୟୀ, ରବିବାର, ଅପରାହ୍ନ ପ୍ରାୟ ୩ ଟା ସମୟରେ କଲଭର୍ଟ ଗାର୍ଡୱାଲ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ମାଟି ଅତଡା ଖସିଯିବାରୁ ମେସିନଟି ତଳକୁ ଧସେଇ ପଡିଥିଲା। ତଳେ ଥିବା ମଦନ ମାଟିତଳେ ଦବି ହୋଇଯାଇଥିଲା। ମିକ୍ସଚର ମେସିନ୍‌ର ଚାଳକ ଭଦ୍ରକ   ଜିଲ୍ଲାର ପ୍ରଭଞ୍ଜନ ମଲ୍ଲିକ ଗାଡିରୁ ଡେଇଁପଡିଥିଲେ। ସେ ସାମାନ୍ୟ ଆହାତ ହୋଇଛନ୍ତି।  ମେସିନ ଆଗରେ ରହିଥିବା ଅନ୍ୟଜଣେ ଶ୍ରମିକ ମାଟି ତଳେ ଏକ କେବୁଲ ତାରରେ ଲାଗି ଯିବାରୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ତାରସିଂ ଇଲାକାର ଆକାଶ ନାୟକ(୧୮),ସନ୍ତୋଷ ନାୟକ(୩୦),ଲକ୍ଷ୍ମଣ ନାୟକ(୬୦) ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ସେମାନଙ୍କ ବିଶେଷ କ୍ଷତି ହୋଇନଥିବା ଜଣାପଡିଛି।

ଖବର ପାଇ ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ତ୍ତ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଉକ୍ତ ସ୍ଥାନରେ ମାଟି ପ୍ରାୟ ୧୫-୨୦ ଫୁଟ ତଳକୁ ଧସେଇ ଯାଇଥିବାରୁ ବର୍ତ୍ତମାନ ରାସ୍ତା ବିପଦପୂର୍ଣ୍ଣ ରହିଥିବାରୁ ସର୍ତ୍ତକ ସୂଚନା ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। 

ad-week
Leave A Reply

Your email address will not be published.