
ମାଲକାନଗିରି :ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତର ଅଭାବ ଯୋଗୁଁ ବର୍ତ୍ତମାନ ବାଲିମେଳା ଚିକିତ୍ସାଳୟରେ ଚିକିତ୍ସା ସେବା ପ୍ରାୟ ଠପ୍ ହୋଇପଡ଼ିଥିବା ବେଳେ ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାର୍ଯ୍ୟରତ ତିନି ଡାକ୍ତର ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ବର୍ତ୍ତମାନ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୁନ୍ୟ ହେବା ସହ ଚିକିତ୍ସା ସେବା ବନ୍ଦ ରହିଛି । ଦୁଃଖ ର କଥା ହେଉଛି ଚିକିତ୍ସାଳୟ ଖୋଲା ରହିଥିଲେ ମଧ୍ୟ ଡାକ୍ତର ନଥିବାରୁ ଫାର୍ମାସିଷ୍ଟମାନେ କାର୍ଯ୍ୟ ସାରି ଘରକୁ ଫେରିଯାଉଥିବା ଦେଖାଯାଇଛି। ଏପରି ସ୍ଥିତିରେ କେବଳ ନର୍ସ ଓ ଆଟେଣ୍ଡରମାନଙ୍କ ଦ୍ୱାରା ଜରୁରୀ ଚିକିତ୍ସା ସେବା କିଛିମାତ୍ରାରେ ଚାଲିଥିବା ବେଳେ ଗୁରୁତର ଓ ଅନ୍ୟାନ୍ୟ ରୋଗୀଙ୍କୁ କୋରକୁଣ୍ଡା ସିଏଚସି କିମ୍ବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଉଛି। ସୂଚନା ଅନୁସାରେ, ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ରୋଗୀ ବାଲିମେଳା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଡାକ୍ତର ଶୂନ୍ୟ ଅବସ୍ଥା ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ବିଶେଷକରି ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ଗରିବ ଲୋକମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଫୋନ୍ ରେ ଯୋଗା ଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ । ତେବେ ବାଲିମେଳା ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଡାକ୍ତର ଶୁନ୍ୟ କୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି ।ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ତୁରନ୍ତ ବାଲିମେଳା ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
