ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି ଓ କମନ୍ସ ସୁରକ୍ଷା ପାଇଁ ସାମୁହିକ ସଂକଳ୍ପ ସେବକର ୩୧ତମ ପ୍ରତିଷ୍ଠା ଦିବସରେ ଜିଲ୍ଲାସ୍ତରୀୟ କର୍ମଶାଳା ମଲ୍ଟି ଆକ୍ଟର ପ୍ଲାଟଫର୍ମ ମାଧ୍ୟମରେ ସମନ୍ୱିତ ଉନ୍ନୟନ ଉପରେ ଗୁରୁତ୍ୱ…

ସୁନ୍ଦରଗଡ଼ – ୧୫/୦୫/୨୬ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ଭୂମି ଅବକ୍ଷୟ, ଜଙ୍ଗଲ ନିଆଁ ଓ ଗ୍ରାମୀଣ ଜୀବିକା ସଙ୍କଟ ଭଳି ବର୍ତ୍ତମାନର ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି, ପରିବେଶ ସୁରକ୍ଷା ଓ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ସମୁଦାୟ ଭିତ୍ତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ତାହାର ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ସୁନ୍ଦରଗଡ଼ ବିକାଶ ଭବନରେ “ଜଳବାୟୁ ସହନଶୀଳ କୃଷି, ମଲ୍ଟି ଆକ୍ଟର ପ୍ଲାଟଫର୍ମ ଓ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପରାମର୍ଶ ସଭାର ଆୟୋଜନ କରିଥିଲା।ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ , କୃଷି ବୈଜ୍ଞାନିକ, ଚାଷୀ ପ୍ରତିନିଧି, କୃଷକ ଉତ୍ପାଦକ ସଂସ୍ଥା, ଯୁବ ସଂଗଠନ, ସାମାଜିକ କର୍ମୀ, ଗଣ ମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସମୁଦାୟର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସେବକର ତିନି ଦଶକର ସାମାଜିକ ଯାତ୍ରା, ଗ୍ରାମୀଣ ଉନ୍ନୟନ, ପରିବେଶ ସୁରକ୍ଷା ଓ ଜୀବିକା ସଶକ୍ତିକରଣ ଉପରେ ଆଧାରିତ ଏକ ଅଡିଓ-ଭିଜୁଆଲ ପ୍ରଦର୍ଶନୀ ଉପସ୍ଥାପିତ ହୋଇଥିଲା। ପରେ ଦୀପ ପ୍ରଜ୍ୱଳନ ସହ ବୃକ୍ଷରେ ଜଳ ଅର୍ପଣ କରାଯାଇ ପରିବେଶ ସୁରକ୍ଷାର ପ୍ରତୀକାତ୍ମକ ସନ୍ଦେଶ ଦିଆଯାଇଥିଲା।ଉଦଘାଟନୀ ଅଧିବେଶନକୁ ଜ୍ୟୋତ୍ସ୍ନାମୟୀ ଏକ୍କା ସଂଚାଳନ କରିଥିବାବେଳେ ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକ ସ୍ୱାଗତ ଅଭିଭାଷଣ ରଖି ସଂଗଠନର ଦୀର୍ଘ ସାମାଜିକ ଯାତ୍ରା ଓ ସମୁଦାୟ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସଂସ୍ଥାର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ସେବକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଜଳବାୟୁ ଅନୁକୂଳ ପଦକ୍ଷେପ ଓ ସାମାଜିକ ପରିବର୍ତ୍ତନର ଅନୁଭୂତି ଉପସ୍ଥାପନ କରିଥିଲେ। ସଂସ୍ଥାର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ଓଝା କହିଥିଲେ ଯେ, ଲୋକଙ୍କ ସକ୍ରିୟ ସହଭାଗିତା ଓ ସମୁଦାୟ ନେତୃତ୍ୱ ହିଁ ସଂଗଠନର ସଫଳତାର ମୂଳ ଆଧାର।ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ସନ୍ତୋଷ ଅମାତ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆଜି କୃଷି, ପରିବେଶ ଓ ଜନଜୀବନ ଉପରେ ସ୍ପଷ୍ଟ ଭାବେ ପଡ଼ୁଛି। ଏହାର ସମାଧାନ ପାଇଁ ସରକାର, ସମୁଦାୟ, ସ୍ଵେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଆବଶ୍ୟକ। ସେ ସେବକର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।ପରବର୍ତ୍ତୀ ଅଧିବେଶନରେ “ଜଳବାୟୁ ସହନଶୀଳ କୃଷି : ସସ୍ଥାୟୀ ଚାଷ ପଦ୍ଧତି ମାଧ୍ୟମରେ ଜୀବିକା ସୁରକ୍ଷା ଓ ପରିବେଶ ସନ୍ତୁଳନ” ଶୀର୍ଷକରେ ଏକ ବିସ୍ତୃତ ପେନାଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହାକୁ ସେବକର ବରିଷ୍ଠ ସଭ୍ୟ ଚକ୍ରଧର ପୃଷେଠ ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ମନୋଜ କୁମାର ଜେନା ଜଳବାୟୁ ପରିବର୍ତ୍ତନ ସମୟରେ ବୈଜ୍ଞାନିକ ଚାଷ ପଦ୍ଧତି, ମିଲେଟ ଓ ଜୈବିକ କୃଷିର

ଆବଶ୍ୟକତା ଉପରେ ମତ ରଖିଥିଲେ। ସେ କହିଥିଲେ ଯେ, ମାଟିର ସ୍ୱାସ୍ଥ୍ୟ ସୁରକ୍ଷା, ପାଣି ସଂରକ୍ଷଣ ଓ ବିବିଧ ଚାଷ ପ୍ରଣାଳୀ ଅପନାଇଲେ କୃଷକମାନେ ଜଳବାୟୁ ଜନିତ ବିପଦକୁ ସଫଳତାର ସହ ମୁକାବିଲା କରିପାରିବେ।କୃଷି ଉପନିର୍ଦ୍ଦେଶିକା ଦୀପ୍ତି ପଟେଲ କୃଷକମାନଙ୍କୁ ସରକାରୀ ଯୋଜନାର ସୁବିଧା ନେବାକୁ ଆହ୍ୱାନ କରିଥିବାବେଳେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ସୁକାନ୍ତ କୁମାର ନାଏକ ଫଳଚାଷ, ପୋଷଣ ବାଗିଚା ଓ ବହୁମୁଖୀ କୃଷି ପ୍ରଣାଳୀର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ନାବାର୍ଡର ଏଜିଏମ ତାପସ କୁମାର ବେହେରା କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପାଇଁ ମିଳୁଥିବା ସହାୟତା ସମ୍ବନ୍ଧରେ ତଥ୍ୟ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ପ୍ରଗତିଶୀଳ ଜୈବିକ ମହିଳା ଚାଷୀ ଗୀତାଞ୍ଜଳି ନାଏକ ନିଜ ଅନୁଭୂତି ସେୟାର କରି କହିଥିଲେ ଯେ, ଜୈବିକ କୃଷି ମହିଳାଙ୍କ ଆର୍ଥିକ ସଶକ୍ତିକରଣର ଏକ ଦୃଢ଼ ମାଧ୍ୟମ ହୋଇପାରେ।ଏହାପରେ “ମଲ୍ଟି ଆକ୍ଟର ପ୍ଲାଟଫର୍ମ ଓ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା” ଉପରେ ଜିଲ୍ଲାସ୍ତରୀୟ ପରାମର୍ଶ ସଭା ଆୟୋଜିତ ହୋଇଥିଲା। ସ୍ନିଗ୍ଧାରାଣୀ ମହାକୁଳ ଏହି ଅଧିବେଶନ ପରିଚାଳନା କରିଥିବାବେଳେ ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ମଲ୍ଟି ଆକ୍ଟର ପ୍ଲାଟଫର୍ମର ଲକ୍ଷ୍ୟ, ସମୁଦାୟ ଭିତ୍ତିକ ସହଯୋଗ ଓ କମନ୍ସ ସୁରକ୍ଷା ଉପରେ ଉପସ୍ଥାପନା ରଖିଥିଲେ। ଅଭିଷେକ ତନ୍ତୀ ସୁନ୍ଦରଗଡ଼ ଜିଲ୍ଲାରେ ମଲ୍ଟି ଆକ୍ଟର ପ୍ଲାଟଫର୍ମର କାର୍ଯ୍ୟାନ୍ୱୟନ ଯୋଜନା ଉପସ୍ଥାପନ କରିଥିବାବେଳେ ବର୍ଷା ସାହୁ ଡିଜିଟାଲ ଟୁଲ ମାଧ୍ୟମରେ ସର୍ବସାଧାରଣ ସମ୍ପତ୍ତିର ମ୍ୟାପିଂ ଓ ମନିଟରିଂ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ। ସନ୍ତୋଷୀ ବାଗ ଜଙ୍ଗଲ ନିଆଁ ନିରୋଧ, ଜୀବ ବିବିଧତା ସୁରକ୍ଷା ଓ ସମୁଦାୟ ଜୀବିକା ଉପରେ ଆଲୋଚନା କରିଥିଲେ। ସେବକର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଦାମୋଦର ଦେହେରିଆ ଓ ମଧୁସୂଦନ ରାଉତ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରାକୃତିକ କୃଷି ତଥା ଜଳ, ଜମି, ଜଙ୍ଗଲର ସୁରକ୍ଷା ନିମନ୍ତେ ତଳ ସ୍ତରରୁ ଉପର ସ୍ତରକୁ ଯୋଜନା ଓ କାର୍ଯ୍ୟକାରୀ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ। ସେବକର ବରିଷ୍ଠ ନିର୍ଦ୍ଦେଶକ ଦୀପକ ତ୍ରିପାଠୀ ଆସନ୍ତା ଏକ ଦଶକ ପାଇଁ ସେବକର କାର୍ଯ୍ୟଯୋଜନା ଉପରେ ଉପସ୍ଥାପନା କରିଥିଲେ।ଖୋଲା ଆଲୋଚନାରେ ଅଂଶଗ୍ରହଣକାରୀମାନେ ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଅଧିକାର ଯୋଜନାର କାର୍ଯ୍ୟାନ୍ୱୟନ, ସମୁଦାୟ ଶାସନ ଓ ଜଳବାୟୁ ଅନୁକୂଳ ଉନ୍ନୟନ ମଡେଲ ଉପରେ ମତାମତ ରଖିଥିଲେ। ବିଭିନ୍ନ ବିଭାଗ, ସମୁଦାୟ ଓ ସଂଗଠନଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଓ ଗ୍ରାମୀଣ ଉନ୍ନୟନକୁ ଆଗକୁ ନେବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।କାର୍ଯ୍ୟକ୍ରମ ମଧ୍ୟରେ ଦୀପିକା ବୁଡ଼ା ଓ ପ୍ରତାପ ଛୁରିଆଙ୍କ ଦ୍ୱାରା ମନଛୁଆଁ ସଙ୍ଗୀତ ପରିବେଷଣ କରାଯାଇଥିଲା, ଯାହା ସମଗ୍ର ପରିବେଶକୁ ସାଂସ୍କୃତିକ ଆବେଗରେ ଭରିଦେଇଥିଲା। ଶେଷରେ ସ୍ନେହଲତା ନାଏକ ଓ ସଞ୍ଜୁ ପଟେଲ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
