
କୋଟପାଡ଼ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅଞ୍ଚଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନର ଅବହେଳା ଓ ଢିଲାପଣିଆ ଯୋଗୁଁ ମାଫିଆମାନେ ନିର୍ଭୟରେ ଦିନରାତି ଶହ ଶହ ଟ୍ରକ ବାଲି ବାହାର ରାଜ୍ୟକୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବା ବେଳେ ପରିବେଶ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି।
ସୂଚନା ଅନୁଯାୟୀ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ଇନ୍ଦ୍ରାବତୀ ନଦୀର ବିଭିନ୍ନ ସ୍ଥାନରୁ ଏହି ବାଲି ଚୋରା ଚାଲାଣ ହେଉଛି। କୋଟପାଡ଼ ତହସିଲ ଅନ୍ତର୍ଗତ ଏ.ଘଟର୍ଲା ଠାରୁ ଆରମ୍ଭ କରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଘଟର୍ଲା, ଆସ୍ନା ଓ ଷଡରଙ୍ଗା ଭଳି ସରକାରୀ ମାନ୍ୟତାପ୍ରାପ୍ତ ବାଲିଘାଟ ରହିଛି। ମାତ୍ର ବାଲି ବ୍ୟବସାୟୀମାନେ ନଦୀକୂଳିଆ ଗ୍ରାମଗୁଡ଼ିକରୁ ବେଆଇନ ଭାବେ ବାଲି ଉଠାଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନରେ ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ସମୟରେ ଏହି ବାଲିକୁ ଚଢ଼ା ଦରରେ ବାହାର ରାଜ୍ୟକୁ ପରିବହନ କରାଯାଉଛି।
ଅଭିଯୋଗ ହେଉଛି ଯେ, ମାଫିଆ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ବେଆଇନ କାର୍ଯ୍ୟ ବାଧାହୀନ ଭାବେ ଚାଲିଛି। ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତୀବ୍ର ସମାଲୋଚନା ହେଉଥିଲେ ହେଁ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅପରପକ୍ଷରେ, ପଡ଼ୋଶୀ ନବରଙ୍ଗପୁର ଜିଲ୍ଲା ଖଣିଜ ଅଧିକାରୀ ଓ କୋଡ଼ିଙ୍ଗା ତହସିଲଦାରଙ୍କ ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ବାଲିକୁ ଜବତ କରାଯିବା ସହ ନିଲାମ ମାଧ୍ୟମରେ ଅର୍ଥ ରାଜକୋଷରେ ଜମା କରାଯାଉଛି। କିନ୍ତୁ କୋରାପୁଟ ଜିଲ୍ଲା ପ୍ରଶାସନ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।
ବିଶେଷ କରି କୋଟପାଡ଼ ତହସିଲର ଗୀର୍ଲ୍ଲା ରାଜସ୍ୱ ମଣ୍ଡଳ ଅଧୀନ ଅଙ୍କୁଲା ଗ୍ରାମ (ଖାତା ନଂ-୨୯୫, ପ୍ଲଟ ନଂ-୨୨୪) ନିକଟସ୍ଥ ଇନ୍ଦ୍ରାବତୀ ନଦୀ ଗର୍ଭରୁ ମେସିନ ସାହାଯ୍ୟରେ ବାଲି ଉଠାଣ କରାଯାଉଛି। “ସ୍ପଟ୍ ଲିଜ୍” ନାମରେ ଏହି ବେଆଇନ କାର୍ଯ୍ୟ ପାଇଁ ଖଣିଜ ଅଧିକାରୀ ଅନୁମତି ଦେଇଛନ୍ତି କି? ବାଲି ମାଫିଆ ଓ ପ୍ରଶାସନ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ।
ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ଚୁପ୍ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। କୋରାପୁଟ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଏହି ଘଟଣାକୁ ଚାପି ଦିଆଯାଉଛି, ତାହା ଏବେ ଦେଖିବାକୁ ବାକି ରହିଲା।
