ସାବିତ୍ରୀଙ୍କ ବୁଦ୍ଧି ଓ ସମର୍ପଣ ଯେଉଁ ପରିବାରରେ ଥାଏ, ଅନ୍ଧକାର ମଧ୍ୟରେ ଆଶାର ଦୀପ ଜଳାଇ ଦିଏ

Independence

ନୟାଗଡ଼,୧୬/୦୫(ନିସର୍ତ୍ତ): ସାବିତ୍ରୀ ଅମାବାସ୍ୟା କେବଳ ଏକ ବ୍ରତ ନୁହେଁ,ଏହା ଓଡ଼ିଆ ନାରୀର ସମର୍ପଣ,ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକ। ସାବିତ୍ରୀ ପୂଜାରେ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳିଥାନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ପ୍ରତେକ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିରରେ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଥାଏ ପୂଜାର୍ଚ୍ଚନା। ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ପୁରାଣ ଅନୁସାରେ ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ ।ସନାତନ ଧର୍ମ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରିଥାନ୍ତି ବିବାହିତା ମହିଳାମାନେ। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରିଥାନ୍ତି। ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରିଥାନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି,ସପୁରି, ତାଳ, ଖଜୁରୀ,ସେଓ,ଅଙ୍ଗୁର ଆଦି ଫଳରେ ପୂଜା ଅର୍ଚ୍ଚନା କରିଛନ୍ତି।ଏହି ବ୍ରତ ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ ସେ ଜନ୍ମେ ଜନ୍ମେ ସଧବା ରହିବା ସହିତ ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ ବୋଲି ବିଶ୍ଵାସ ରହିଛି। ସାବିତ୍ରୀ କେବଳ ତାଙ୍କର ଭକ୍ତିରେ ନୁହେଁ ତାଙ୍କର ବୁଦ୍ଧିମତା, ଧର୍ଯ୍ୟ ଓ ଅଦମ୍ୟ ସାହାସରେ ଯମରାଜଙ୍କୁ ମଧ୍ୟ ପରାଜିତ କରିଥିଲେ। ଜଣେ ନାରୀ କେବଳ ପରିବାରର ହୃଦୟ ନୁହେଁ, ସେ ତାର ଶକ୍ତି, ପ୍ରଜ୍ଞା ଓ ଆଶ୍ରୀବାଦ ଅଟେ। ସାବିତ୍ରୀଙ୍କ ବୁଦ୍ଧି ଓ ସମର୍ପଣ ଯେଉଁ ପରିବାରରେ ଥାଏ ,ସେଠାରେ ଅନ୍ଧକାର ମଧ୍ୟ ଆଶାର ଦୀପ ଜଳାଇ ଦିଏ। ସାବିତ୍ରୀ ବ୍ରତ କେବଳ ପର୍ବ ନୁହେଁ ଏହା ଭଲପାଇବାର ଏକ ପବିତ୍ର ଅନୁଭବ।

ad-week
Leave A Reply

Your email address will not be published.