ରାଇଘର ବ୍ଲକରେ କାଳବୈଶାଖୀର ତାଣ୍ଡବ : ପ୍ରବଳ ପବନରେ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବିଦ୍ୟୁତ ସେବା ବିପର୍ଯ୍ୟସ୍ତ

ଉମରକୋଟ / ରାଇଘର (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁଁ ସମଗ୍ର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ ସମୟରେ ହଠାତ୍ ଆକାଶ କଳାମେଘରେ ଢାକି ହୋଇଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ପ୍ରବଳ ବେଗରେ ପବନ ବୋହିବା ସହ ଝଡ଼ବର୍ଷା ଆରମ୍ଭ ହୋଇଥିଲା। ଝଡ଼ର ବେଗ ଏତେ ଭୟଙ୍କର ଥିଲା ଯେ ରାଇଘର ବ୍ଲକର ଭାରଷଣ୍ଡି, ଛତାବେଡ଼ା, କୁମଲି ଏବଂ ଉମରକୋଟ ବେହେରା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ଥିବା ବିଶାଳକାୟ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି। ରାସ୍ତା ଉପରେ ଗଛ ପଡ଼ିବା ଫଳରେ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଅନେକ ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଅପରପକ୍ଷରେ, ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ଖମ୍ଭ ଓ ତାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ସମଗ୍ର ରାଇଘର ବ୍ଲକରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅନ୍ଧାର ସାଙ୍ଗକୁ ଗୁଳୁଗୁଳିରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଦ୍ୟୁତ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଜଣାପଡ଼ିଛି।
କାଳବୈଶାଖୀର ଏହି ତାଣ୍ଡବରେ ଅନେକ ସ୍ଥାନରେ ଛୋଟ ଦୋକାନ ଓ କେତେକ ଘରର ଟିନ୍ ଛାପର ଉଡ଼ିଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଯଦିଓ ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନହାନି ହୋଇଥିବାର ଖବର ମିଳିନାହିଁ, ତଥାପି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ପ୍ରଶାସନ ପକ୍ଷରୁ କ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ବହୁ ଦିନ ପରେ ଏଭଳି ଭୟଙ୍କର ଝଡ଼ ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
