
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ଶାନ୍ତିନଗର ଛକ ନିକଟରେ ଆଜି ରବିବାର ସନ୍ଧ୍ୟା ପରେ ପରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଏକ ଏଜ ପିକଅପ ଗାଡ଼ି ଆଗରେ ଯାଉଥିବା ଏକ ବଡ଼ ଟ୍ରକର ପଛପଟେ ଜୋରଦାର ଭାବେ ଧକ୍କା ଦେଇଥିଲା। ଘଟଣାରେ ପିକଅପ ଗାଡ଼ିଟିର ଆଗ ଅଂଶ ସମ୍ପୂର୍ଣ୍ଣ ଭାବେ ଚୁର୍ମାର ହୋଇଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ପ୍ରାଣରକ୍ଷା ପାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଛତିଶଗଡ଼ ନମ୍ବର ବିଶିଷ୍ଟ ଏକ ବଡ଼ ଟ୍ରକ (CG 17 KS 6365) ରାଇଘର ଅଭିମୁଖେ ଯାଉଥିବା ସମୟରେ ତାହାର ପଛପଟେ ଆନ୍ଧ୍ରପ୍ରଦେଶ ନମ୍ବର ବିଶିଷ୍ଟ ଏକ ପିକଅପ ଗାଡ଼ି (AP 39 VD 7733) ଯାଉଥିଲା। ରାତି ପ୍ରାୟ ୯ଟା ୨୦ ମିନିଟ ସମୟରେ ଗାଡ଼ି ଦୁଇଟି ବୋବେଇ ପଞ୍ଚାୟତର ଶାନ୍ତିନଗର ଗାଁ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଗାଁ ଭିତରୁ ଏକ ମଟରସାଇକେଲ ଚାଳକ ମେନ ରୋଡ଼ ଉପରକୁ ଚାଲି ଆସିଥିଲେ। ସେହି ସମୟରେ ପଛରୁ ଆସୁଥିବା ପିକଅପ ଗାଡ଼ିର ଡ୍ରାଇଭର ମଟରସାଇକେଲକୁ ବଞ୍ଚାଇବା ପାଇଁ ହଠାତ୍ ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ଯାଇଥିଲେ। କିନ୍ତୁ ଗତି ଅଧିକ ଥିବାରୁ ସେ ଆଗରେ ଯାଉଥିବା ଟ୍ରକର ପଛପଟେ ଜୋରରେ ପଶିଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନଙ୍କ କହିବା ଅନୁଯାୟୀ ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରକର ପଛପଟ ନେମ ପ୍ଲେଟ ଭାଙ୍ଗି ପିକଅପ ଗାଡ଼ି ସହ ଲାଗି ରହିଥିବା ଦେଖାଯାଇଥିଲା।

ଦୁର୍ଘଟଣାରେ ପିକଅପ ଗାଡ଼ିଟିର ଆଗ ଭାଗ ପୁରାପୁରି ଚେପା ହୋଇଯାଇଥିବା ବେଳେ ଗାଡ଼ିର କ୍ୟାବିନ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ତଥାପି ଭାଗ୍ୟକୁ ଧନ୍ୟବାଦ ଯେ ଡ୍ରାଇଭର ଅଳ୍ପ ଆହତ ହୋଇ ପ୍ରାଣରକ୍ଷା ପାଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗି ରକ୍ତସ୍ରାବ ହୋଇଥିବା ଦୃଶ୍ୟମାନ । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ଭିଡ଼ ଜମାଇ ଡ୍ରାଇଭରଙ୍କୁ ସହାୟତା କରିଥିଲେ। ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ରାଇଘର ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। ପୋଲିସ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଉଛି। ବିଶେଷକରି ଗ୍ରାମ ଅଞ୍ଚଳରୁ ହଠାତ୍ ମେନ ରୋଡ଼କୁ ଯାନବାହନ ଚାଲି ଆସୁଥିବାରୁ ଏପରି ଦୁର୍ଘଟଣା ବଢ଼ୁଥିବା ନେଇ ଅନେକେ ମତ ପ୍ରକାଶ କରିଛନ୍ତି। ଯାନ ଚାଳକମାନେ ସତର୍କତାର ସହ ଗାଡ଼ି ଚାଳନା କରିବା ସହିତ ରାସ୍ତା ନିୟମକୁ କଡ଼ାକଡ଼ି ମାନିବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଆହ୍ୱାନ କରିଛନ୍ତି।
