ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି: ବି.ଏଲ.ପୁରରେ ୨୮ ଅଭିଯୋଗର ସମୀକ୍ଷା ସହ ଭତ୍ତା ବଣ୍ଟନ ଓ ଅଙ୍ଗନବାଡି ପରିଦର୍ଶନ…

add-all

ମାଲକାନଗିରି, ୧୮/୫/୨୬: ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ବ୍ଲକ ବି.ଏଲ.ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଡୋଳାମଣି ପ୍ରଧାନ ଙ୍କ
ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ସିଧାସଳଖ ଜନସାଧାରଣଙ୍କ ସହ ଯୋଡ଼ି ହୋଇଥିଲେ । ସେମାନେ ଲୋକଙ୍କ ବିଭିନ୍ନ ଗୁରୁତର ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ଶୁଣିବା ସହିତ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।ଏହି ଶିବିରରେ ସ୍ଥାନୀୟ ଅଞ୍ଚଳରୁ ସମୁଦାୟ ୨୮ ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୦୧ ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୭ ଟି ଗ୍ରାମ୍ୟ ଭିତ୍ତିଭୂମି ଓ ସାମୂହିକ ସମସ୍ୟା ରହିଥିଲା। ଅଭିଯୋଗ ଶୁଣାଣି ସହ ଜିଲ୍ଲାପାଳ ସେଠାରେ ସରକାରୀ ସହାୟତା ପ୍ରଦାନ ପାଇଁ ଆୟୋଜିତ ହୋଇଥିବା ବିଭିନ୍ନ ବିଭାଗୀୟ କ୍ୟାମ୍ପ ବୁଲି ଦେଖିଥିଲେ। ଏହି ଅବସରରେ ସେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସୁବିଧା-ଅସୁବିଧା ବାବଦରେ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାପାଳ ବି.ଏଲ.ପୁର ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାକାର ଭିତ୍ତିଭୂମି, ଶିଶୁମାନଙ୍କ ପାଇଁ ଥିବା ଖାଦ୍ୟପେୟ ଓ ସେବାର ସମୀକ୍ଷା କରିଥିଲେ।ବି.ଏଲ.ପୁର ସହିତ ଜିଲ୍ଲାର ଅନ୍ୟ ୬ଟି ପ୍ରମୁଖ ଗ୍ରାମ ପଞ୍ଚାୟତ ଯଥା ପଡିଆ, ସୋମନାଥପୁର, କଦମଗୁଡା, ବଡପଦର, କଟାପାଲ୍ଲୀ ଏବଂ ଗୋମ୍ଫାକୋଣ୍ଡାରେ ମଧ୍ୟ ସମାନ୍ତରାଳ ଭାବେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସବୁ ପଞ୍ଚାୟତରେ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ସହ ତୁରନ୍ତ ସମାଧାନ ପାଇଁ କାର୍ଯ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ନିଜ ବାର୍ତ୍ତାରେ କହିଛନ୍ତି ଯେ, ସରକାରୀ ଯୋଜନାର ସୁଫଳ ଯେପରି ପ୍ରତିଟି ଗ୍ରାମାଞ୍ଚଳର ଶେଷ ହିତାଧିକାରୀଙ୍କ ପାଖରେ ସ୍ୱଚ୍ଛତାର ସହ ପହଞ୍ଚିବ, ତାହା ଆମର ମୂଳ ଲକ୍ଷ୍ୟ। ପ୍ରଶାସନ ସବୁବେଳେ ଲୋକଙ୍କ ସେବାରେ ପ୍ରସ୍ତୁତ ଏବଂ ସାମୂହିକ ସମସ୍ୟା ଗୁଡ଼ିକର ସମୟସୀମା ମଧ୍ୟରେ ସ୍ଥାୟୀ ସମାଧାନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.