
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ପୋଲିସ ଥାନା ଅନ୍ତର୍ଗତ ଏମଭି ୩୧ ଗ୍ରାମରେ ଜଣେ ଅଜଣା ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଏମଭି ୩୧ ଗ୍ରାମରେ ଉକ୍ତ ବ୍ୟକ୍ତି ଜଣଙ୍କ ଗତ କିଛିବର୍ଷ ଧରି ନିରନ୍ତର ଭାବେ ଏକ କୁଡିଆ ଘରେ ରହି ଆସୁଥିଲା। ବ୍ୟକ୍ତି ଜଣକ ଜିବିକା ନିର୍ବାହ ପାଇଁ ସ୍ଥାନୀୟ ଅଞ୍ଚଳରେ ମୂଲ ଲାଗୁଥିଲା ବେଳେ ସମ୍ପୂର୍ଣ୍ଣ ଏକାନ୍ତ ଜୀବନ କାଟୁଥିଲା। ସେହି ବ୍ୟକ୍ତି ଜଣଙ୍କ ପୈତୃକ ଗ୍ରାମ ବାବଦରେ ସ୍ଥାନୀୟ ଲୋକ ପଚାରିଲେ ମଧ୍ୟ ସଠିକ କହି ପାରୁ ନଥିଲା।
ତେବେ ରବିବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତି ଜଣଙ୍କ କୌଣସି କାରଣରୁ ଗୁରୁତର ହୋଇ ପଡିବାରୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲା। ଏ ନେଇ ସ୍ଥାନୀୟ ଲୋକେ ମାଲକାନାଗିରି ସଦର ପୋଲିସ ଥାନାରେ ଲିଖିତ ଭାବେ ଜଣାଇବା ପରେ ସଦର ଥାନା ଅଧିକାରୀ ଆର୍ ବିଜୟ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ପ୍ରଶାନ୍ତ କୁମାର ସେଠୀ ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି। ଏ ନେଇ ମାଲକାନଗିରି ଜିଲ୍ଲା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ଉକ୍ତ ବ୍ୟକ୍ତି ଜଣଙ୍କ ତେନ୍ତୁଳିଖୁଣ୍ଟି ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ସମ୍ପୂର୍ଣ୍ଣ ଠିକଣା ନେଇ ପୋଲିସ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ।
