
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷଗୁମୁଣ୍ଡା ବ୍ଲକ ଅନ୍ତର୍ଗତ କୋଡୀଙ୍ଗାଠାରେ ବହୁ ପ୍ରତିକ୍ଷିତ ନୂତନ କନିଷ୍ଟ ଦେୱାନୀ ଓ ଫୌଜଦାରୀ ମାଜିଷ୍ଟ୍ରେଟ (JMFC) ଅଦାଲତ ଉଦଘାଟିତ ହୋଇଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆଭାସୀ (Virtual) ମାଧ୍ୟମରେ ଏହି କୋର୍ଟକୁ ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସୁଲଭ ଓ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧୀଶ, ରେଜିଷ୍ଟ୍ରାର ଏବଂ ଜେ.ଏମ୍.ଏଫ୍.ସି ମାଜିଷ୍ଟ୍ରେଟଙ୍କ ସମେତ କୋଡୀଙ୍ଗା, କୋଟପାଡ଼, ନବରଙ୍ଗପୁର, ବୋରିଗୁମ୍ମା ଓ ଜୟପୁରର ବହୁ ବରିଷ୍ଠ ଓ କନିଷ୍ଟ ଓକିଲ ଯୋଗ ଦେଇଥିଲେ। କୋଡୀଙ୍ଗା ବାର୍ ଆସୋସିଏସନର ସଭାପତି ଉମେଶ ମିଶ୍ରଙ୍କ ନେତୃତ୍ୱରେ କୁଞ୍ଜ ବିହାରୀ ଦାସ, ଅର୍ଜୁନ ବିଶୋଇ, ପ୍ରଦୀପ ବୋକ୍ସି, ସରକାରୀ ଓକିଲ ଅରୁଣ ନାୟକ, ତାରିଣୀ ଦାସ, ଦିଗାମ୍ବର ପାଣିଗ୍ରାହୀ, ରାମ ନାୟକ, ବାବୁଲି ବାଘ ଓ ସିଧୁ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ନବରଙ୍ଗପୁର ବାର୍ ପକ୍ଷରୁ ବରିଷ୍ଠ ଓକିଲ ନରସିଂହ ତ୍ରିପାଠୀ, ଝଡ଼େଶ୍ୱର ଖାଡ଼ଙ୍ଗା, ବାର୍ ସଭାପତି ଓ ସମ୍ପାଦକ, କୋଟପାଡ଼ ବାର୍ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅଜିତ ପଟ୍ଟନାୟକ, ଶଙ୍କର ପଣ୍ଡା, କିଶୋର ମିଶ୍ର, ଘନ ବିଶୋଇ ଏବଂ ଜୟପୁର ବାର୍ର ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ। ଓଡ଼ିଶା ବାର୍ କାଉନସିଲର ପୂର୍ବତନ ସଭ୍ୟ ବିଷ୍ଣୁ ପାତ୍ର, ସ୍ଥାନୀୟ ବଦ୍ରି ନାରାୟଣ ସିଂ, ଧର୍ମ ସିଂ ଏବଂ ଯୋଗେନ୍ଦ୍ର ସ୍ୱାଇଁ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ପ୍ରଶାସନିକ ସ୍ତରରୁ କୋଷଗୁମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଅସିତ ତ୍ରିପାଠୀ ଏବଂ କୋଡୀଙ୍ଗା ତହସିଲଦାର ତୁଳା ମୁଦୁଲି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଏବଂ ନ୍ୟାୟ ପ୍ରକ୍ରିୟା ଲୋକଙ୍କ ନିକଟତର ହୋଇଥିବାରୁ ଅତିଥିମାନେ ଖୁସି ବ୍ୟକ୍ତ କରିଛନ୍ତି। ଏହି ନୂତନ ଅଦାଲତ ପ୍ରତିଷ୍ଠା ଫଳରେ ଏବେ ଲୋକଙ୍କୁ ଛୋଟ ଛୋଟ ମାମଲା ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ।
