୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ କୋରାପୁଟ: ‘ଜିଲ୍ଲା କାର୍ଯ୍ୟଯୋଜନା ୨୦୨୪-୨୯’ ଉନ୍ମୋଚିତ

add-all

କୋରାପୁଟ, ୨୦/୦୫ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ରଠାରେ ବାଲ୍ୟ ବିବାହ ସମାପ୍ତି ନିମନ୍ତେ “ଜିଲ୍ଲା କାର୍ଯ୍ୟଯୋଜନା (DAP) ୨୦୨୪-୨୦୨୯” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ୨୦୩୦ ସୁଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଏହି ଅବସରରେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଯୋଗଦେଇ କହିଥିଲେ ଯେ, କୋରାପୁଟରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ଦୂର କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରହିବା ଜରୁରୀ। ଠିକ୍ ସମୟରେ ହସ୍ତକ୍ଷେପ କରିବା ସହ ‘ଅଦ୍ୱିକା’, ‘ସ୍କିମ୍ ହାଟ’ ଏବଂ ଚାଇଲ୍ଡଲାଇନ୍ (୧୦୯୮) ମାଧ୍ୟମରେ ସାମୁଦାୟିକ ସହଭାଗିତା ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ କିଶୋରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବାକୁ ସେ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଅମ୍ବିତ ମହାନ୍ତି ଓ ଉପ-ଜିଲ୍ଲାପାଳ ପ୍ରେମଲାଲ ହିଆଲ ଯୋଗଦେଇ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଆଇନ ଶୃଙ୍ଖଳା ଓ ପ୍ରଶାସନିକ ସହଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ। ୟୁନିସେଫ, ଭୁବନେଶ୍ୱରର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଜିଲ୍ଲା କାର୍ଯ୍ୟଯୋଜନାର ଲକ୍ଷ୍ୟ, ବିଭାଗୀୟ ଦାୟିତ୍ୱ, ନିରୀକ୍ଷଣ ପ୍ରଣାଳୀ ଏବଂ କନଭର୍ଜେନ୍ସ ମେକାନିଜିମ୍ ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରସନ୍ନ ମିଶ୍ର କିଶୋରୀ ସଶକ୍ତିକରଣରେ ‘ଅଦ୍ୱିକା’ କେନ୍ଦ୍ରର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ମମତା ସମଦୁଆର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରକ୍ଷା-ସହ-କାର୍ଯ୍ୟକ୍ରମ ଅଧିକାରୀ ସୀମା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO), ସମସ୍ତ CDPO ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟଯୋଜନାକୁ ସଫଳ କରିବା ପାଇଁ ତଥ୍ୟ ଆଦାନପ୍ରଦାନ ଏବଂ ମାସିକ ସମୀକ୍ଷା କରିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ad-week
Leave A Reply

Your email address will not be published.