କୋରାପୁଟ ଜିଲ୍ଲାର ବିକାଶ ପାଇଁ ପ୍ରସ୍ତୁତ ହେଲା ପଞ୍ଚବର୍ଷୀୟ ରୋଡ୍‌ମ୍ୟାପ୍: ଶିକ୍ଷା, କୃଷି ଓ ଗମନାଗମନ ଉପରେ ଗୁରୁତ୍ୱ

add-all

କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହଠାରେ ସାମ୍ବିଧାନିକ ଧାରା ୨୭୫(୧) ଅଧୀନରେ “ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପେକ୍ଷୀ ଯୋଜନା ଓ ତଦାରଖ କମିଟି”ର ଏହି ବୈଠକରେ ଆଗାମୀ ୫ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପର ଅନୁମୋଦନ କରାଯାଇଛି।

ଏହି ଯୋଜନାରେ ବିଶେଷ କରି ଶିକ୍ଷା, କୃଷି, ଜୀବିକା ଏବଂ ରାସ୍ତା ସଂଯୋଗୀକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା, ପରିମଳ ସୁବିଧା ଏବଂ ପାଚେରୀ ନିର୍ମାଣ କରି ଛାତ୍ରଛାତ୍ରୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୫ଟି ଆର୍ଥିକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସ˚ସ୍ଥା (ITDA)ର ପ୍ରକଳ୍ପ ପ୍ରଶାସିକା ସ୍ନେହପ୍ରଭା ମାଝି ସ୍ୱାଗତ ଭାଷଣ ଦେବା ସହ ବୈଠକର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏହି ବୈଠକରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଆନ୍ତା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ପରାମର୍ଶ ଦେଇଥିଲେ।

ଏଥିସହ କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି, ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ସହକାରୀ ଯନ୍ତ୍ରୀ କବିରାଜ ବେହେରା ଏବଂ କୋରାପୁଟ ଓ ଜୟପୁର ITDA ର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଶାସିକା ତୃପ୍ତି ବରାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.