
ନୟାଗଡ : ପାହାଡ଼ ଓ ବଣ ଜଙ୍ଗଲ ଘେରା ନୟାଗଡ଼ ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜିଲ୍ଲାବାସୀଙ୍କୁ କଲବଲ କରୁଛି । ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଅତ୍ୟଧିକ ତାପମାତ୍ରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।ବିଗତ ବର୍ଷ ମାନଙ୍କରେ କେବେ କେବେ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଡେଉଁଥିବା ବେଳେ ଚଳିତ ବର୍ଷ ପ୍ରାୟ ଅନେକ ଦିନ ଧରି ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହିଛି ।ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁଯାୟୀ ୨୦୨୩ରେ ୯ ଦିନ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହିଥିଲା ।ସେଥିମଧ୍ୟରୁ ଦୁଇଥର ୪୧ ଡିଗ୍ରୀ ଓ ଥରେ ୪୨ ଡିଗ୍ରୀ ତାପମାତ୍ରା ରହିଥିଲା ।ସେହିପରି ୨୦୨୪ ମସିହାରେ ଏପ୍ରିଲ ମାସରେ ୨୨ ଦିନ, ମେ ମାସରେ ୭ଦିନ ଓ ଜୁନ ମାସରେ ୩ଦିନ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା ଏବଂ ଏହି ବର୍ଷ ସର୍ବାଧିକ ତାପମାତ୍ରା ୪୩.୨ଡିଗ୍ରୀ ରହିଥିଲା ।
୨୦୨୫ ମସିହାରେ ତାପମାତ୍ରା ବୃଦ୍ଧିରେ ସାମାନ୍ୟ ନିୟନ୍ତ୍ରଣ ହୋଇଥିବା ବେଳେ ଏପ୍ରିଲ ଏବଂ ମେ ମାସରେ ଥରେ ଲେଖାଏଁ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯାଇଥିଲା ।ମାତ୍ର ୨୦୨୬ ମସିହାରେ ସ୍ଥିତି ଉଦବେଗଜନକ ରହିଛି ।ଚଳିତ ମେ ମାସରେ ପ୍ରାୟ ୫ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ବାୟୁ ମଣ୍ଡଳ ଆଦ୍ରତା ଅଧିକ ରହୁଥିବାରୁ ଅସହ୍ୟ ଗରମ ସହିତ ଗୁଳୁଗୁଳି ଅନୁଭୁତ ହେଉଛି।ଏହାକୁ ନେଇ ବିଶିଷ୍ଟ ପରିବେଶବିତ୍ ତଥା ପଦ୍ମଶ୍ରୀ ସାବରମତୀ କହିଛନ୍ତି ଯେ ଗରମ ଓ ଗୁଳୁଗୁଳି ପାଇଁ ଉଭୟ ମନୁଷ୍ୟ ଓ ପ୍ରକୃତି ଉଭୟ ଦାୟୀ ।ବିଶେଷ କରି ମାନବ ସଭ୍ୟତାର ଉନ୍ନତି ପାଇଁ ରାସ୍ତା, ଘର, କଳକାରଖାନାର ଆବଶ୍ୟକତା ପାଇଁ ବହୁଳ ପରିମାଣରେ ଗଛ କଟାଯାଉଛି ଏବଂ ସେହି ଅନୁପାତରେ ଗଛ ଲାଗା ଯାଉନାହିଁ ।ଆମେ ପ୍ରକୃତି ଓ ପ୍ରାକୃତିକ ପରିବେଶକୁ ସୁରକ୍ଷା କରିବା ଆବଶ୍ୟକ ।
