
• ୫ ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ୧୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା
ମାଲକାନଗିରି: ମାଲକାନଗିରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ମୁଖ୍ୟ ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମୃତ୍ୟୁଜନିତ ବୀମା ରାଶି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିରକେ ଯୋଗଦେଇ ଏସବିଆଇରେ ‘ପୋଲିସ ସାଲାରୀ ପ୍ୟାକେଜ୍’ (Police Salary Package) ଖାତା ଖୋଲିଥିବା ୫ ଜଣ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ପରେ, ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶିର ଚେକ୍ ପ୍ରଦାନ କରିଛନ୍ତି।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏସବିଆଇ ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗଦେଇ ବ୍ୟାଙ୍କର ଏଭଳି ଜନହିତକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଡିଏସପି ଅନାମ ଲାକ୍ରା ଏବଂ ମାଲକାନଗିରି ଏସବିଆଇ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏସପି ବିନୋଦ ପାଟିଲ ଏଚ୍. ମଧ୍ୟ ହିତାଧିକାରୀମାନଙ୍କୁ ବୀମା ରାଶିର ଚେକ୍ ବଣ୍ଟନ କରିଥିଲେ। ସ୍ୱର୍ଗତ ପୋଲିସ କର୍ମଚାରୀ ଅକ୍ଷୟ କୁମାର ନାୟକଙ୍କ ପତ୍ନୀ ରଶ୍ମିରେଖା ମାଝୀ, ସ୍ୱର୍ଗତ ରାମସିଂ ବୁରୁଡ଼ାଙ୍କ ପତ୍ନୀ ସମରି ବୁରୁଡ଼ା, ସ୍ୱର୍ଗତ ବୁଲୁ ପଟ୍ଟନାୟକଙ୍କ ପତ୍ନୀ ଅମିତା କୁମାରୀ ପଟ୍ଟନାୟକ, ସ୍ୱର୍ଗତ ଅର୍ଜୁନ ଚନ୍ଦ୍ର କୁରାମିଙ୍କ ପତ୍ନୀ ଦମୁ କୁରାମି ଏବଂ ୪ର୍ଥ ବାଟାଲିୟନର ସ୍ୱର୍ଗତ ରଞ୍ଜନ ହନ୍ତାଳଙ୍କ ପତ୍ନୀ ରଶ୍ମିତା ଦୋରାଙ୍କୁ ଏହି ବୀମା ରାଶି ପ୍ରଦାନ କରାଯାଇଥିଲା।
ଅନ୍ୟପକ୍ଷରେ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ (PMJJBY) ଅଧୀନରେ ମୃତ୍ୟୁଜନିତ ସହାୟତା ସ୍ୱରୂପ ୩ ଜଣ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି। ସ୍ୱର୍ଗତ ମୁକେ ପଡ଼ିଆମୀଙ୍କ ସ୍ୱାମୀ ଦେବ ପଡ଼ିଆମୀ, ସ୍ୱର୍ଗତ ପାଣ୍ଡ୍ରି ମାଡକାମୀଙ୍କ ସ୍ୱାମୀ ମୁକା ମାଡକାମୀ ଏବଂ ସ୍ୱର୍ଗତ ରୁକ୍ମଣୀ ଦୁର୍ଗାଙ୍କ କନ୍ୟା ଝରଣା ଦୁର୍ଗାଙ୍କୁ ଏହି ସହାୟତା ରାଶି ହସ୍ତାନ୍ତର କରାଯାଇଥିଲା।
ଏହି ଅବସରରେ ଶାଖା ପରିଚାଳକ ସୂଚନା ଦେଇ କହିଥିଲେ ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ‘ପୋଲିସ ସାଲାରୀ ପ୍ୟାକେଜ୍’ ଜରିଆରେ ଖାତା ଥିଲେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ସାଧାରଣ ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସୁବିଧା ଉପଲବ୍ଧ ରହିଛି।
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ଏସବିଆଇ ଉପ-ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ଏବଂ କ୍ଷେତ୍ର ଅଧିକାରୀ ସୌମ୍ୟରଞ୍ଜନ ବେହେରା ପରିଚାଳନାରେ ସହଯୋଗ କରିଥିଲେ। ଷ୍ଟେଟ୍ ବ୍ୟାଙ୍କର ଏଭଳି ଜନକଲ୍ୟାଣକାରୀ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି।
