ଭିତ୍ତିଭୂମିର ସୁପରିଚାଳନା ପାଇଁ ଡିଜିଟାଲ ପ୍ରୟାସ : କୋରାପୁଟରେ ଆଞ୍ଚଳିକ ‘ନିର୍ମାଣ ସମ୍ପତ୍ତି ପରିଚାଳନା’ ପ୍ରଶିକ୍ଷଣ ଅନୁଷ୍ଠିତ

କୋରାପୁଟ: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଳ୍ୟାଣ ବିଭାଗ ପକ୍ଷରୁ କୋରାପୁଟସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ନିର୍ମାଣ ସମ୍ପତ୍ତି ପରିଚାଳନା ପ୍ରଣାଳୀ” ସମ୍ବନ୍ଧୀୟ ଏହି କାର୍ଯ୍ୟକ୍ରମ ବିଭାଗୀୟ ଆୟୁକ୍ତ-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏବଂ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଛି।
ଏହି ପ୍ରଶିକ୍ଷଣ ଶିବିରରେ କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଭଳି ୬ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀମାନେ ଯୋଗ ଦେଇ ନୂତନ ଡିଜିଟାଲ ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରିଥିଲେ।
ବିଭାଗ ଅଧୀନରେ ଥିବା ବିଭିନ୍ନ ଛାତ୍ରାବାସ, ବିଦ୍ୟାଳୟ ଏବଂ କାର୍ଯ୍ୟାଳୟ ଗୃହ ଭଳି ସରକାରୀ ସମ୍ପତ୍ତିଗୁଡ଼ିକର ସଠିକ୍ ତଦାରଖ, ରକ୍ଷଣାବେକ୍ଷଣ ଓ ବ୍ୟବସ୍ଥିତ ପରିଚାଳନା ପାଇଁ ଏହି ସ୍ୱତନ୍ତ୍ର ଡିଜିଟାଲ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି। ପ୍ରଶିକ୍ଷଣ ଅବସରରେ ସମ୍ପୃକ୍ତ ପୋର୍ଟାଲ୍ର ବ୍ୟବହାର, ସଠିକ୍ ତଥ୍ୟ ଦାଖଲ, ସମ୍ପତ୍ତି ଚିହ୍ନଟ ଏବଂ ତୁରନ୍ତ ତଦାରଖ କରିବା ଶୈଳୀ ଉପରେ ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ବୁଝାଯାଇଥିଲା।
ଭିତ୍ତିଭୂମି ପରିଚାଳନାରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ସମସ୍ତ ନିର୍ମାଣ ସମ୍ପତ୍ତିର ତଥ୍ୟ ସମୟାନୁଯାୟୀ ଅଦ୍ୟତନ (Update) କରିବା ଏକାନ୍ତ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏହି ବ୍ୟବସ୍ଥା ଦ୍ୱାରା ବିଭାଗୀୟ ସମ୍ପତ୍ତିର ସୁରକ୍ଷା ଓ ଉପଯୋଗିତା ଅଧିକ ସୁଦୃଢ଼ ହୋଇପାରିବ।
