କୋରାପୁଟରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନସନ ଅଦାଲତ ଉଦଯାପିତ: ୪୮୬ଟି ଅଭିଯୋଗର ହେଲା ଶୁଣାଣି

add-all

କୋରାପୁଟ: ସ୍ଥାନୀୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଦୁଇଦିନିଆ ଆନ୍ତଃଜିଲ୍ଲା ପେନସନ ଅଦାଲତ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମେତ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନର ଆନୁକୂଲ୍ୟରେ ଏବଂ ପ୍ରଧାନ ମହାଲେଖାକାର (AG) କାର୍ଯ୍ୟାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅଦାଲତରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଅବସରପ୍ରାପ୍ତ ସରକାରୀ ପୋଲିସ କର୍ମଚାରୀଙ୍କର ପେନସନ, ଭବିଷ୍ୟନିଧି (PF) ଏବଂ ଅବସରକାଳୀନ ବକେୟା ପ୍ରାପ୍ୟ ସମ୍ବନ୍ଧୀୟ ପ୍ରାୟ ୪୮୬ଟି ଅଭିଯୋଗର ଶୁଣାଣି କରାଯାଇଥିଲା। କାର୍ଯ୍ୟକ୍ରମରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା, ଉପ ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ ଏବଂ ଯୁଗ୍ମ ଶାସନ ସଚିବ ଅସିତ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ସମୀକ୍ଷା କରିଥିଲେ।

ଶୁଣାଣି ସମୟରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବର୍ମା ଅବସରପ୍ରାପ୍ତ କର୍ମଚାରୀଙ୍କ ସୁବିଧା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ, କର୍ମଚାରୀମାନଙ୍କୁ ଯେପରି ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ମିଳିବ ସେଥିପ୍ରତି ବିଭାଗ ସଚେତନ ରହିବା ଉଚିତ। ଏଥିସହ ଅବସର ପୂର୍ବରୁ ପେନସନ ଆବେଦନ ପ୍ରକ୍ରିୟା ଶେଷ କରି ମହାଲେଖାକାର କାର୍ଯ୍ୟାଳୟକୁ ପଠାଇବା ପାଇଁ ସେ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପ ମହାଲେଖାକାର ଓ ନିର୍ଦ୍ଦେଶକ ମଧ୍ୟ ଅବସରକାଳୀନ ପ୍ରାପ୍ୟ ଆବେଦନଗୁଡ଼ିକୁ ସଠିକ୍ ଭାବେ ମଞ୍ଜୁର କରିବା ଦିଗରେ ଆବଶ୍ୟକୀୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ଏହି ଅବସରରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଫଇସଲା କରାଯାଇଥିବା ଅନେକ ପେନସନ ମଞ୍ଜୁର ଆଦେଶ ପତ୍ର (PPO) ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ହସ୍ତାନ୍ତର କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆମ୍ବିତ ମହାନ୍ତି, ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର ଓ ଅଭିଜିତ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପେନସନଧାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନର ଏହି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.