ନୟାଗଡ଼ରେ ବିଜେଡିର ‘ମହିଳା ଅଧିକାର ଅଭିଯାନ’: ବିଜେପି ସରକାର ଉପରେ ବର୍ଷିଲେ ଅରୁଣ ସାହୁ

Independence

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ‘ମହିଳା ଅଧିକାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପସିତା ସାହୁ ଏବଂ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ବିରୋଧୀ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।
ବୈଠକରେ ବକ୍ତାମାନେ ମତ ରଖିଥିଲେ ଯେ, କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଳରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଛନ୍ତି। ମହିଳାଙ୍କୁ ପ୍ରକୃତ ସଂରକ୍ଷଣ ନଦେଇ ସେମାନଙ୍କୁ ପ୍ରତାରିତ କରାଯାଉଛି। ବିଧାୟକ ଡ. ଅରୁଣ ସାହୁ କହିଥିଲେ, “ମାଟିରୁ ଆକାଶ ଯେତିକି ଉଚ୍ଚ, ମା’ର ସମ୍ମାନ ମଧ୍ୟ ସେତିକି ଉଚ୍ଚ। କିନ୍ତୁ ବର୍ତ୍ତମାନର ବିଜେପି ସରକାର ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାରେ ଲାଗିଛି।”
ଡବଲ ଇଞ୍ଜିନ ସରକାର ମହିଳାଙ୍କ ‘ଭାତ ହାଣ୍ଡି’ରେ ଲାତ ମାରୁଥିବା ଅଭିଯୋଗ କରି ବିଜେଡି ନେତାମାନେ କହିଛନ୍ତି ଯେ, ବର୍ଷକୁ ୫୦ ହଜାର ଟଙ୍କା ଦେବାର ମିଛ ପ୍ରତିଶ୍ରୁତି ଦେଇ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମା’ମାନଙ୍କୁ ଠକାଯାଇଛି। ତେଲ କମ୍ ବ୍ୟବହାର କରିବା ଓ ସୁନା ନ କିଣିବା ଭଳି କଟାକ୍ଷ କରି ବିଜେପି ନେତାମାନେ ମହିଳାଙ୍କୁ ଅଟ୍ଟହାସ୍ୟ କରୁଛନ୍ତି ବୋଲି ବୈଠକରେ ଅଭିଯୋଗ ହୋଇଛି।


ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ମହିଳାମାନେ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ମା’ମାନଙ୍କୁ ଦୁବାଇ ଭଳି ଦେଶକୁ ପଠାଇ ସେମାନଙ୍କ ପାଇଁ ଶିକ୍ଷଣୀୟ ଓ ସଶକ୍ତିକରଣ ବ୍ୟବସ୍ଥା କରାଯାଇଥିଲା। ଛାତ୍ର ସଭାପତି ଇପସିତା ସାହୁ କହିଛନ୍ତି ଯେ, ନାରୀ ଶକ୍ତିର ଝଡ଼ ଆସିଲେ ଶାସନ ଗାଦି ଟଳମଳ ହେବ।

ଏହି ସମ୍ମିଳନୀରେ ରାଜ୍ୟ ମହିଳା ବିଜେଡି ସମ୍ପାଦିକା ତୃପ୍ତିରାଣୀ ପଟ୍ଟନାୟକ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟା ଝିଲ୍ଲୀ ପ୍ରଧାନ, ସାଗରବାଳା ବରାଡ଼, ସ୍ୱପ୍ନେଶ୍ୱରୀ ସେଠୀଙ୍କ ସମେତ ଅନେକ ମହିଳା ନେତ୍ରୀ ବକ୍ତବ୍ୟ ରଖିଥିଲେ। ଏଥିସହ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ପୌର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.