
କୋରାପୁଟ (୨୫/୦୫/୨୦୨୪): କୋରାପୁଟ ସଦଭାବନା ସଭାଗୃହଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ରୋହିତ ବର୍ମା ମିଳିତ ଭାବେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ଶୁଣାଣି କରିଥିଲେ।
ଏହି ଶିବିରରେ ମୋଟ ୪୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୬ଟି ଗୋଷ୍ଠୀଗତ ବା ସାମୁହିକ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୩୦ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ଜିଲ୍ଲାପାଳ ମୋଟ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିବା ବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ସିଇଓ ବେଣୁଧର ଶବରଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯାଉଛି।
