
ଉମରକୋଟ/ରାଇଘର (୨୫/୦୫/୨୦୨୪): ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସିଇଓ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଉପଜିଲ୍ଲାପାଳ ଶରତ ମାଝୀ, ରାଇଘର ବ୍ଲକ୍ ଅଧ୍ୟକ୍ଷ ଗୁପ୍ତ ଝାଙ୍କର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସୁକାନ୍ତ ଚନ୍ଦ୍ର ଶତପଥୀ, ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର, ରାଇଘର ବିଡିଓ ରିତୁ ସିଂ ଓ ତହସିଲଦାର ମନମୋହନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଶୁଣାଣି ଶିବିରରେ ମୋଟ ୨୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୦୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ପର୍କିତ ଥିଲା। ଜିଲ୍ଲାପାଳ ଡ. ସ୍ୱାଇଁ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୦ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ସହାୟତା କାର୍ଡ ଓ ଜଣେ ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଥିଲା। ଏଥିସହ ଅନ୍ତୋଦୟ ଗୃହ ଯୋଜନାର ୬ ଜଣ ହିତାଧିକାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା।
ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଜନସାଧାରଣଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ପ୍ରଶାସନର ଏହି ଜନହିତକର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳରେ ସନ୍ତୋଷ ପ୍ରକାଶ ପାଇଛି।
