
ନୂଆଦିଲ୍ଲୀ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଜୋର୍ ଜରିଥିବାବେଳେ ଆଜି ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୈଠକ ଥିଲା। ପାଖାପଖି ୬ ଘଣ୍ଟାର ମାରାଥନ ବୈଠକରେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିବା କୁହାଯାଉଛି।
କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ଏହି ବୈଠକରେ ସିଦ୍ଦରମୈୟା, ଶିବକୁମାର, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ , କେସି ବେଣୁଗୋପାଳ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁର୍ଯେୱାଲା ଉପସ୍ଥିତ ଥିଲେ। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏହି ବୈଠକରେ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବାପାଇଁ ପାର୍ଟି ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯାଆନ୍ତୁ ଏବଂ ଦିଲ୍ଲୀରେ ରହି ଜାତୀୟ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଦଳ ଚାହିଥିବା କଂଗ୍ରେସର ଏକ ସୂତ୍ରରୁ ଜଣାପଡ଼ିଛି ।
ଅନ୍ୟପକ୍ଷେ ଦଳ ଏହି ଦାବିକୁ ଖଣ୍ଡନ କରିଛି। ବୈଠକ ପରେ କେସି ବେଣୁଗୋପାଳ କହିଛନ୍ତି, କଥାବାର୍ତ୍ତା କେବଳ ରାଜ୍ୟସଭା ଏବଂ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନରେ ସୀମିତ ରହିଛି। ଅନ୍ୟ ଯାହା ଆକଳନ କରାଯାଉଛି ସେସବୁ ମିଛ। ସେ କହିଛନ୍ତି, ଆମେ କରିଥିବା ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ରଣଦୀପ ଉପସ୍ଥିତ ଥିଲେ। ଆଲୋଚନା ସମୟରେ କେବଳ ରାଜ୍ୟସଭା ଏବଂ ଏମ୍ଏଲ୍ସି ଆସନ ଉପରେ ଫୋକସ୍ କରାଯାଇଥିଲା । ତେବେ ବୈଠକ ସ୍ଥଳ ଛାଡ଼ିବା ସମୟରେ ସିଦ୍ଦରମୈୟା କିମ୍ବା ଶିବକୁମାର କେହି ବି ନେତୃତ୍ବ ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ ୪ ଆସନରେ ରାଜ୍ୟସଭା ନିର୍ବାଚନ ହେବ। କଂଗ୍ରେସ ଏଥିରୁ ୩ଟିରେ ଜିତିବାପାଇଁ ଆଶା ରଖିଛି। ବିଜେପି ଗୋଟିଏ ଆସନରେ ଜିତିବ ବୋଲି ଆଶା କରାଯାଉଛି।
