
ନୟାଗଡ:ନୟାଗଡ଼ ସଦର ଥାନା ପୋଲିସ ପାନ ମସଲା ବ୍ୟବସାୟୀ କମଳ ସାହୁଙ୍କୁ ଗିରଫ କରିବା ସହିତ ଖୁଣ୍ଟୁବନ୍ଧ ଗ୍ରାମ ସ୍ଵପ୍ନେଶ୍ୱର୍ କ୍ଲବରେ ଭଡ଼ାରେ ଚାଲିଥିବା ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ପାନ ମସଲା ଜବତ କରିଥିଲେ ।ଏହାକୁ ନେଇ ସେତେବେଳେ ପୋଲିସ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି ବେଶ୍ ପ୍ରଶଂସା ସାଉଁଟି ଥିଲା ।ମାତ୍ର ଏହି ଜବତ ପାନ ମସଲାକୁ ନେଇ ସଦର ଥାନାର ଅଡ଼ୁଆ ବଢ଼ି ଚାଲିଛି ।ଜବତ ପାନ ମସଲାରୁ ୩ଶହ ରୁ ଉର୍ଦ୍ଧ୍ବ ବସ୍ତା ବିକ୍ରି କରିଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି।ଚଢ଼ାଉ ବେଳେ କମଳଙ୍କ ଗୋଦାମରୁ ଯେତିକି ପରିମାଣରେ ପାନ ମସଲା ଜବତ କରାଯାଇଥିଲା ତାର ଅଧା ଜବତ ତାଲିକାରେ ଦର୍ଶାଯାଇ ଅବଶିଷ୍ଟ କୁ ବିକ୍ରି କରିଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।ଏହି ପାନ ମସଲା ଜବତ ବେଳେ ସଦର ଥାନାର ଦୁଇଜଣ ଗୃହରକ୍ଷୀଙ୍କ ଉପସ୍ଥିତିରେ ହୋଇଥିବାରୁ ସେମାନଙ୍କୁ ସାକ୍ଷୀ ଭାବରେ ଦର୍ଶାଯାଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ ନୟାଗଡ଼ ଏସଡିଜିଏମ ଅଦାଲତରେ ଦାଖଲ ହୋଇଥିଲା ।ମାତ୍ର ଉଚ୍ଚ ନ୍ୟାୟାଳୟରୁ ଜାମିନରେ ମୁକୁଳିବା ପରେ କମଳ ଏହି ଜବତ ତାଲିକାକୁ ନେଇ ପ୍ରଶ୍ନ ଉଠାଇଥିଲେ।ବରିଷ୍ଠ ଆଇନଜୀବି ରଣଜିତ ଦାସ ଭାରତୀୟ ନାଗରିକ ସଂହିତାର ଧାରା ୯୪ ଅନୁଯାୟୀ ସଦର ଥାନା ମାମଲା ନମ୍ବର -୩୮ରେ ଖୁଣ୍ଟାବନ୍ଧ ସ୍ଵପ୍ନେଶ୍ୱର୍ ଗୋଦାମରୁ ପାନ ମସଲା ଜବତ ସମୟର ଭିଡିଓ ଫୁଟେଜ ଏବଂ ଡିଜିଟାଲ ସାକ୍ଷ୍ୟ ପ୍ରମାଣ ଅଦାଲତରେ ଦାଖଲ କରିବା ପାଇଁ ଅପିଲ କରିଥିଲେ। ଅଦାଲତ ଏହି ଘଟଣାର ଭିଡିଓ ଫୁଟେଜ ଓ ଡିଜିଟାଲ ସାକ୍ଷ୍ୟ ଯଥାଶୀଘ୍ର ଦାଖଲ କରିବା ପାଇଁ ଗତ ସପ୍ତାହରୁ ସଦର ଥାନାର ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରମାଣ ଦାଖଲ ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ। କମଳଙ୍କ ଅଭିଯୋଗ ଅନୁଯାୟୀ ଜିଏସଟି ବିଲରେ କିଣା ହୋଇଥିବା ୬୨୨ ବସ୍ତା ପାନ ମସଲା ଷ୍ଟକ୍ ଅନୁସାରେ ଗୋଦାମ ଘରେ ଥିଲା ।ପୋଲିସ ସମସ୍ତ ପାନ ମସଲାକୁ ଜବତ କରିଥିଲେ ମଧ୍ୟ ଜବତ ତାଲିକାରେ ୩ଶହ ବସ୍ତା ରହିଥିବା ଦର୍ଶା ଯାଇଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।ସଦର ଥାନା ଇନ୍ସପେକ୍ଟର ପ୍ରିୟତମା ପ୍ରଧାନ କହିଛନ୍ତି କୋର୍ଟ ପ୍ରମାଣ ଦାଖଲ କରିବାକୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇନାହାନ୍ତି ।ଖୁବ୍ ଶୀଘ୍ର ପୋଲିସ ପକ୍ଷରୁ ସମସ୍ତ ପ୍ରମାଣ ଦାଖଲ କରାଯିବ ।ଯେତିକି ପରିମାଣରେ ଜବତ ହୋଇଥିଲା ସେତିକି ପରିମାଣରେ ପାନ ମସଲା ଜବତ ତାଲିକାରେ ଦର୍ଶା ଯାଇଛି ।ଏଥିରେ କୌଣସି ପ୍ରକାରର ଭୁଲ ନାହିଁ ।
