
ମାଲକାନଗିରି,:ବିଶ୍ୱ ମାସିକ ସ୍ୱଚ୍ଛତା ଦିବସ–୨୦୨୬ ଅବସରରେ ସମାଜରେ ମାସିକ ଧର୍ମକୁ ନେଇ ଥିବା ଲଜ୍ଜା, ଅନ୍ଧବିଶ୍ୱାସ ଓ ନିରବତାକୁ ଭାଙ୍ଗିବା ପାଇଁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “Together for a Period Friendly World” ଥିମ୍କୁ ନେଇ ଯୁବପିଢିଙ୍କ ସହ ଖୋଲାମେଳା ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, “ମାହାବାରୀ” କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ପ୍ରତ୍ୟେକ ମଣିଷର ଜୀବନ ସହ ଜଡିତ ଏକ ସ୍ୱାଭାବିକ ପ୍ରକ୍ରିୟା। ନାରୀ ହେଉ କି ପୁରୁଷ, ସମସ୍ତଙ୍କ ଜନ୍ମ ଏହି ପ୍ରକ୍ରିୟା ସହ ସମ୍ପୃକ୍ତ। ତେଣୁ ଏହାକୁ ଲଜ୍ଜାର ବିଷୟ ନୁହେଁ, ସଚେତନତା ଓ ସମ୍ମାନର ବିଷୟ ଭାବେ ଦେଖିବା ଆବଶ୍ୟକ।
ବିଶେଷ କରି ମହିଳା ଓ କିଶୋରୀମାନେ ମାସିକ ସମୟରେ ଯେପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେଥିପାଇଁ ସମାଜର ସହଯୋଗ ଓ ସମ୍ବେଦନଶୀଳତା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ପୁରୁଷମାନେ ମଧ୍ୟ ଏହି ବିଷୟକୁ ଗୁରୁତ୍ୱ ସହ ବୁଝି ମହିଳାଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ସହଯୋଗର ମନୋଭାବ ରଖିବାକୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ “ପିରିଅଡ୍ ଫେଲୋ” ଭାବେ ପୁନର୍ବାର କାମ କରିବାର ସୁଯୋଗ ମିଳିଥିବାରୁ ଅନେକ ଖୁସି ପ୍ରକାଶ କରାଯାଇଥିଲା। ଯୁବମାନଙ୍କ ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ଏକ ସ୍ମରଣୀୟ ଅନୁଭବ ବୋଲି କୁହାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିଥିବା “ବଡ ଦିଦି” ଟିମ୍ ଓ “Uninhibited” ସଂଗଠନକୁ ହୃଦୟରୁ ଧନ୍ୟବାଦ ଜଣାଯାଇଥିଲା।”Break The Period Stigma” ଓ “Dignity Not Shame” ଭଳି ସନ୍ଦେଶ ସହ ସମସ୍ତଙ୍କୁ ଏକ ପିରିଅଡ୍-ଫ୍ରେଣ୍ଡଲି ସମାଜ ଗଠନ ପାଇଁ ଏକତ୍ର ହେବାକୁ ଆହ୍ୱାନ କରାଯାଇଛି।
