
ସୁନ୍ଦରଗଡ଼ (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଥାନା ଅନ୍ତର୍ଗତ ଜୋକେତା ଆସନବେଡା ଗ୍ରାମରେ ଚାଲିଥିବା ଏକ ବଡ଼ ଧରଣର ଆଇପିଏଲ୍ (IPL) ବେଟିଂ ରାକେଟର ପର୍ଦାଫାଶ କରିଛି ପୋଲିସ। ବିଶେଷ ସୂତ୍ରରୁ ସୂଚନା ପାଇ ହାତିବାରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଜୋକେତାର ଆସନବେଡା ଗାଁରେ ଅତର୍କିତ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ପୋଲିସ ନଗଦ ୩,୯୫,୫୯୦ ଟଙ୍କା ଜବତ କରିବା ସହ ତିନୋଟି ମୋବାଇଲ୍ ଫୋନ୍ ଏବଂ ଏକ ଲାଲ୍ ରଙ୍ଗର ମାରୁତି ସୁଜୁକି କାର୍ (ନଂ- OR 14S 0061) ଜବତ କରିଛି। ଏହା ବ୍ୟତୀତ ବେଟିଂରେ ବ୍ୟବହୃତ ହେଉଥିବା ବ୍ୟାଙ୍କ ପାସବୁକ୍, ଚେକବୁକ୍, ଆଧାର କାର୍ଡ, ଏକାଧିକ ସିମ୍ କାର୍ଡ ଓ ମେମୋରୀ କାର୍ଡ ମଧ୍ୟ ପୋଲିସ ହସ୍ତଗତ କରିଛି।
କ୍ରିକେଟ ସଟ୍ଟା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାରବାର ଓ ଠକେଇ ହେଉଥିବା ଅଭିଯୋଗରେ ପୋଲିସ ଏହି ରାକେଟର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
