କୋରାପୁଟ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଆରମ୍ଭ: ୨୦୦୨ ପରେ ପ୍ରଥମ ଥର ପାଇଁ ହେବ ‘ଘରକୁ ଘର’ ଯାଞ୍ଚ

add-all

କୋରାପୁଟ (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ୨୦୨୬ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟୱାନ ମହାଜନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ବିଶେଷ କଥା ହେଉଛି, ୨୦୦୨ ମସିହା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁଣିଥରେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା କରାଯାଉଛି।

ଜୁଲାଇ ୨୭ ପର୍ଯ୍ୟନ୍ତ ଚାଲିବ ଯାଞ୍ଚ: ଆଜିଠାରୁ ଆରମ୍ଭ ହୋଇଥିବା ଏହି ଘରକୁ ଘର ଯାଞ୍ଚ ପ୍ରକ୍ରିୟା ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୧,୧୬୫ଟି ବୁଥ୍ ପାଇଁ ସମାନ ସଂଖ୍ୟକ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ୧,୯୯୧ ଜଣ ବୁଥ୍ ସ୍ତରୀୟ ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଯଦି କୌଣସି ଭୋଟର ଘରେ ନଥାନ୍ତି, ତେବେ ଅଧିକାରୀମାନେ ଅତିକମରେ ତିନି ଥର ତାଙ୍କ ଘରକୁ ଯିବେ।

ଯୋଗ୍ୟତା ଓ ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୦୧/୦୭/୨୦୨୬ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ପୂରଣ ହେଉଛି, ସେମାନେ ଭୋଟର ତାଲିକାରେ ନାମ ଯୋଡ଼ିପାରିବେ।
  • ଅଗଷ୍ଟ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।
  • ଅଗଷ୍ଟ ୫ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ।
  • ସେପ୍ଟେମ୍ବର ୯ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଜିଲ୍ଲାର ବର୍ତ୍ତମାନର ଭୋଟର ସ୍ଥିତି: ଜିଲ୍ଲାରେ ବର୍ତ୍ତମାନ ମୋଟ ୯,୬୬,୪୨୪ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୪୮.୨୮%, ମହିଳା ୫୧.୭୦% ଏବଂ ୮୨ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।

ସଂଶୋଧନ ପାଇଁ ଫର୍ମ:

  • ନୂଆ ନାମ ଯୋଡ଼ିବା ପାଇଁ ଫର୍ମ-୬
  • ନାମ ବାଦ୍ ଦେବା ପାଇଁ (ମୃତ କିମ୍ବା ସ୍ଥାନାନ୍ତରିତ) ଫର୍ମ-୭
  • ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮ ବ୍ୟବହାର କରାଯିବ।

ମାଗଣା ସେବା ଓ ସହାୟତା: ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଏହି ସମଗ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା। ଯଦି କେହି ଏଥିପାଇଁ ଟଙ୍କା ମାଗନ୍ତି, ତେବେ ତୁରନ୍ତ ସହାୟତା ନମ୍ବର ୧୯୫୦ରେ ଅଭିଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ନାଗରିକମାନେ ନିଜେ ମଧ୍ୟ ଭୋଟର ପୋର୍ଟାଲ କିମ୍ବା ମୋବାଇଲ ଆପ୍ ଜରିଆରେ ଆବେଦନ କରିପାରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବର, ଆଇଏଏସ ପ୍ରୋବେସନର ଅନୁପ ନାୟକ, ନିର୍ବାଚନ ଡେପୁଟି କଲେକ୍ଟର ମଙ୍ଗଳ ଚରଣ ବାସ୍କେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.