
ଅନୁଗୁଳ: ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ଜଣେ ବୃଦ୍ଧଙ୍କ ମଣ୍ଡକୁ ଦଳିଦେଲା ଦନ୍ତା । ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ବନବିଭାଗ ଟିମ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେହିପରି ଛେଣ୍ଡିପଦା ବନାଞ୍ଚଳ ନୂଆଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଜରିପାଳ ଗାଁର ପ୍ରମିଳା ରାଉଳ । ମହିଳା ଜଣଙ୍କ ନିଜ ଝିଅ ଘରକୁ ଯାଇଥିବାବେଳେ ସେଠାରୁ ଆମ୍ବ ଘୋଟାଇବାକୁ ଯାଇଥିବା ସମୟରେ ଦନ୍ତାହାତୀ କଚାଡ଼ି ମାରି ଦେଇଛି । ଘଟଣାସ୍ଥଳରେ ଉତ୍ତେଜନା ହୋଇଛି। ତେବେ ଅନୁଗୁଳରେ ବାରମ୍ବାର ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି । କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷ ଜୀବନ ଯାଉଛି । ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି ରଖିଛନ୍ତି ।
