ସ୍ୱାଭିମାନ ଅଞ୍ଚଳର ରୂପାନ୍ତରଣ ପାଇଁ ‘ସେତୁ’ ଯୋଜନା ଓ ‘ମଡେଲ ଭିଲେଜ ମିଶନ’ର ମିଳିତ ସମୀକ୍ଷା : ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ମାଲକାନଗିରି : ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ମଡେଲ ଭିଲେଜ ମିଶନ’ ଏବଂ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ‘ସେତୁ’ ଯୋଜନାର ଏକ ମିଳିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସାମଗ୍ରିକ ରୂପାନ୍ତରଣ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ମଡେଲ ଭିଲେଜ ମିଶନର ରୂପାୟନ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ଗ୍ରାମାଞ୍ଚଳଗୁଡ଼ିକୁ ସହରାଞ୍ଚଳ ଭଳି ସମସ୍ତ ମୌଳିକ ସୁବିଧା ପ୍ରଦାନ କରି ସେଗୁଡ଼ିକୁ ଆତ୍ମନିର୍ଭରଶୀଳ ଓ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଏହି କ୍ରମରେ ଜିଲ୍ଲାର ୧୧୧ଟି ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ବିଶେଷ ଭାବେ ଚିତ୍ରକୋଣ୍ଡା ବ୍ଲକର ୧୮ଟି ଏବଂ କୋରକୁଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଗ୍ରାମ ସ୍ତରରେ ଭିତ୍ତିଭୂମିର ସ୍ଥିତି ପରଖିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଶକ୍ତି ବିଭାଗ ଭଳି ସମସ୍ତ ସଂପୃକ୍ତ ବିଭାଗକୁ ନିର୍ଦ୍ଧାରିତ ସର୍ଭେ ଫର୍ମାଟ୍ ପ୍ରଦାନ କରାଯାଇଛି। ଆସନ୍ତା ୧୫ ଜୁନ୍ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ମୁଖ୍ୟ ସ୍ରୋତ ସହ ଯୋଡ଼ିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ଓଡ଼ିଶା ଉଠା ଜଳସେଚନ ନିଗମ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳ ଯୋଗାଣ, ଶିକ୍ଷାନୁଷ୍ଠାନର ବିକାଶ ଏବଂ ପ୍ରତି ପଡ଼ାରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଦକ୍ଷିଣ ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ କୁହାଯାଇଛି। ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍ୱଚ୍ଛତାର ସହ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ନୂତନ ଯୋଜନା ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ପରିବର୍ତ୍ତନ ଆଣିବ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ମେଗା ମିଶନର ନିରୀକ୍ଷଣ ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟି ସକ୍ରିୟ ଭାବେ କାର୍ଯ୍ୟ କରୁଛି।
