ଡ୍ରେନ ନାହିଁ, ରାସ୍ତା ଉଚ୍ଚା: ରାଇଘର କୋଦୁଭାଟା ସାହିରେ କାଳବୈଶାଖୀ ବର୍ଷାରେ ଜଳବନ୍ଦୀ ଅବସ୍ଥା, ବଢୁଛି ଜନ ଅସନ୍ତୋଷ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଅନ୍ତର୍ଗତ କୋଦୁଭାଟା ସାହିରେ ଚାଲିଥିବା ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଦ୍ଦଶାର କାରଣ ସାଜିଛି। ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଇ ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷା ଋତୁ ପୂର୍ଣ୍ଣମାତ୍ରାରେ ଆରମ୍ଭ ହୋଇନଥିବା ବେଳେ ଏବେକାର କାଳବୈଶାଖୀ ଜନିତ ସ୍ୱଳ୍ପ ବର୍ଷାରେ ହିଁ ରାସ୍ତା ପାର୍ଶ୍ୱରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ନୂତନ ରାସ୍ତାଟି ପୂର୍ବ ଅପେକ୍ଷା ଯଥେଷ୍ଟ ଉଚ୍ଚା ହୋଇଥିବା ବେଳେ ଡ୍ରେନ ଅଭାବରୁ ବର୍ଷାଜଳ ନିଷ୍କାସିତ ହୋଇ ନପାରି ଲୋକଙ୍କ ଘର ପରିସର ଓ ଦ୍ୱାର ମୁହଁରେ ଜମି ରହୁଛି। ଫଳରେ ସାହିବାସୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଗମ୍ଭୀର ଭାବେ ପ୍ରଭାବିତ ହେଉଛି।

ବିଶେଷ କରି କୋଦୁଭାଟା କାଳୀ ମନ୍ଦିରଠାରୁ ରାଇଘର ପର୍ଯ୍ୟନ୍ତ ଅଞ୍ଚଳରେ ପୂର୍ବରୁ ଥିବା ପୁରୁଣା ଡ୍ରେନକୁ ମାଟି ପକାଇ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ସାହିବାସୀ ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ବର୍ଷା ଋତୁ ପୂର୍ବରୁ ତୁରନ୍ତ ଡ୍ରେନ ନିର୍ମାଣ କରା ନଯାଏ, ତେବେ ଲୋକଙ୍କ ଘର ଭିତରକୁ ପାଣି ପଶି ବ୍ୟାପକ ସମ୍ପତ୍ତି କ୍ଷତି ହେବାର ଆଶଙ୍କା ରହିଛି। ଏପରି ସ୍ଥିତି ଉପୁଜିଲେ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଓ ସମ୍ପୃକ୍ତ ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରଶାସନ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.