
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଅନିୟମିତତା ଲାଗି ରହିଥିବା ବେଳେ କର୍ମଚାରୀ ଅଭାବ ସାଙ୍ଗକୁ କାଳ ବୈଶାଖୀ ବର୍ଷା ଓ ପବନ ହେବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଲୋକେ ଡହଳ ବିକଳ ହେଉଛନ୍ତି । ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଫେଡକୋ ନାମକ ଏକ ଘରୋଇ କମ୍ପାନୀ ୨୦୧୨ ମସିହାରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ଵ ନେଇଥିଲା ।୨୦୨୦ ଜୁନ ୧ ତାରିଖରୁ ଅନ୍ୟ ଏକ ଘରୋଇ କମ୍ପାନୀ ଟିପିସିଓଡିଏଲ୍ ବିଦ୍ୟୁତ୍ ବିତରଣ ଦାୟିତ୍ଵ ନେଇଛନ୍ତି । ଫେଡ଼କୋ ନିଯୁକ୍ତି କରିଥିବା ଆଉଟସୋର୍ଶିଂ ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଏହି କମ୍ପାନୀ ଗ୍ରହଣ କରିବା ସହିତ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରି ଆସୁଥିଲେ ।ମାତ୍ର ଖର୍ଚ୍ଚ କାଟ ଆଳରେ ଆଉଟସୋର୍ଶିଂ ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ଛଟେଇ ପାଇଁ କାର୍ଯ୍ୟ ଆରମ୍ଭ ପରେ ଏହି କର୍ମଚାରୀ ମାନେ ସାମୁହିକ ଭାବରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବେଆଇନ ଛଟେଇ ବିରୁଦ୍ଧରେ ଧାରଣାରେ ବସିଥିଲେ ।
ଏହି କାରଣ ଯୋଗୁଁ ନିୟମିତ ବିଦ୍ୟୁତ୍ କର୍ମଚାରୀ ମାନଙ୍କ ଉପରେ କାମର ଚାପ ଅଧିକ ରହିଛି। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳ ବୈଶାଖୀ ବା ମେଣ୍ଟନାଂଶ କାମ ପାଇଁ ବିଦ୍ୟୁତ୍ ଯୋଗାଣ ବାଧା ପାଉଥିବା ବେଳେ କାମର ଚାପ ଅଧିକ ପଡ଼ିବାରୁ ନିୟମିତ କର୍ମଚାରୀ ସଂଘ ଡାକରାରେ ନିୟମିତ କର୍ମଚାରୀ ମାନେ ୮ ଘଣ୍ଟାରୁ ଅଧିକ ସମୟ କାମ କରିବା ପାଇଁ ରୋକଠୋକ ମନା କରିଛନ୍ତି । ଓଡ଼ଗାଁ ବିଦ୍ୟୁତ୍ ସେକସନରେ କାର୍ଯ୍ୟ କରୁଥିବା ୫୪ ଜଣ କର୍ମଚାରୀ ମଧ୍ୟରୁ କେବଳ ୧୪ ଜଣ ନିୟମିତ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ସେମାନେ ୮ ଘଣ୍ଟା କାର୍ଯ୍ୟ ସମ୍ପାଦନ କରିବା ପରେ ମଧ୍ୟ କାର୍ଯ୍ୟ ସରୁନଥିବାରୁ ବିଭିନ୍ନ ଅଞ୍ଚଳକୁ ସ୍ଵାଭାବିକ ବିଦ୍ୟୁତ୍ ଯୋଗାଣ ସମ୍ଭବ ହେଉନାହିଁ ।ବିଭାଗୀୟ କତୃପକ୍ଷ ଏହି ସମସ୍ୟା ପ୍ରତି ଯଥା ସମ୍ଭବ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।
