ଯୋଡ଼ିଙ୍ଗା ପଞ୍ଚାୟତରେ ମନରେଗା ଅନିୟମିତତା ଅଭିଯୋଗ : ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

Independence

ଉମରକୋଟ/ରାଇଘର : ଗ୍ରାମାଞ୍ଚଳର ବିକାଶ ଓ ଗରିବ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) କାର୍ଯ୍ୟକାରୀ ହେଉଥିବା ବେଳେ ଏହାର ସ୍ୱଚ୍ଛତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ହୋଇଥିବା ଏକ ଡ୍ରେନ ଖନନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ୨୦୨୫-୨୬ ଆର୍ଥିକ ବର୍ଷରେ ନୂଆଗାଁ ଗ୍ରାମର ମିଟକୁ ଘର ଠାରୁ ସୁର ଘର ପର୍ଯ୍ୟନ୍ତ ଏକ ଡ୍ରେନ ଖନନ କାର୍ଯ୍ୟ ପାଇଁ ୨ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟର କୋଡ୍ ନମ୍ବର ୧୧୧୯୦୧୨୨ ରହିଥିବା ବେଳେ ଗତ ଜାନୁଆରୀ ୯ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କାର୍ଯ୍ୟ ସୂଚନା ଫଳକରେ ସମାପ୍ତି ତାରିଖ ଦର୍ଶାଯାଇ ନଥିବା ବେଳେ ଡ୍ରେନଟି ନିର୍ଦ୍ଧାରିତ ପରିମାପ ଓ ମାନଦଣ୍ଡ ଅନୁଯାୟୀ ହୋଇନଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅନେକ ସ୍ଥାନରେ କେବଳ ନାମମାତ୍ର ଗାତ ଖୋଳି କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦର୍ଶାଯାଇଛି, ଯାହା ସରକାରୀ ଅର୍ଥର ବାଟମାରଣା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଶେଷକରି ଏହି ପ୍ରକଳ୍ପଟି ୪୩ ନମ୍ବର ଜାତୀୟ ରାଜପଥ ସହ ସଂଯୁକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ହୋଇଥିବାରୁ ଏହା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି। ଏପରି ସ୍ଥଳେ ଘଟଣାର ନିରପେକ୍ଷତା ତଥା ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଯୋଡ଼ିଙ୍ଗା ସରପଞ୍ଚଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରିନାହିଁ। ଏବେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରଶାସନ କେତେ ଗୁରୁତ୍ୱର ସହ ନେଉଛି ଏବଂ ଦୋଷୀଙ୍କ ବିରୋଧରେ କି ପଦକ୍ଷେପ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକି ରହିଲା।

(ରିପୋର୍ଟ: ରସିକ ସରକାର, ଉମରକୋଟ)

ad-week
Leave A Reply

Your email address will not be published.