ଭଙ୍ଗା ଘରେ ବୃଦ୍ଧାଙ୍କ ଦୟନୀୟ ଜୀବନ : ସରକାରୀ ଆବାସ ଅପେକ୍ଷାରେ ନୀଳାବତୀ ମାଝୀ

add-all

ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଖାଇରେପେଟ ଗ୍ରାମରେ ଜଣେ ଅସହାୟ ବୃଦ୍ଧା ଆଜିର ଦିନରେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୬୯ ବର୍ଷୀୟା ବୃଦ୍ଧା ନୀଳାବତୀ ମାଝୀ ଏକ ଭଙ୍ଗା କୁଡ଼ିଆରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଅଭାବୀ ପରିବାରରେ ଜନ୍ମିତ ନୀଳାବତୀଙ୍କ ଜୀବନ ଯନ୍ତ୍ରଣାମୟ ହୋଇପଡ଼ିଛି। ମୁଣ୍ଡ ଗୁଞ୍ଜିବାକୁ ସୁରକ୍ଷିତ ଘରଟିଏ ନଥିବା ବେଳେ ବର୍ଷା ଓ ପବନ ସମୟରେ ଘରର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ୁଛି। ଜଙ୍ଗଲରୁ କାଠ ସଂଗ୍ରହ କରି ସେ ଚୁଲିରେ ରୋଷେଇ କରନ୍ତି। ତାଙ୍କ ପୁଅ ଧନସିଂ ମାଝୀଙ୍କର ନିଜସ୍ୱ ଜମି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅଭାବ ଯୋଗୁଁ ସେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଛନ୍ତି। ଫଳରେ ବୃଦ୍ଧା ଜଣକ ଏବେ ଘରେ ସମ୍ପୂର୍ଣ୍ଣ ଏକାକୀ ରହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ନୀଳାବତୀ ଏପର୍ଯ୍ୟନ୍ତ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ସରକାର ‘ସମସ୍ତଙ୍କ ପାଇଁ ପକ୍କା ଘର’ ଯୋଜନା କରୁଥିବା ବେଳେ ଏହି ଅସହାୟ ବୃଦ୍ଧାଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କୁ ତୁରନ୍ତ ସରକାରୀ ଆବାସ ତାଲିକାରେ ସାମିଲ କରି ଏକ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ନିକଟରେ ବିନିତ ଅନୁରୋଧ କରିଛନ୍ତି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ କେବେ ପଦକ୍ଷେପ ନିଆଯାଉଛି ଏବଂ ନୀଳାବତୀଙ୍କୁ କେବେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାୟୀ ସାହାରା ମିଳୁଛି, ତାହା ଦେଖିବାକୁ ବାକି ରହିଲା।

(ରିପୋର୍ଟ: ରସିକ ସରକାର, ଉମରକୋଟ)

ad-week
Leave A Reply

Your email address will not be published.